Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ମିଶ୍ରିତ ପ୍ରତିକ୍ରିୟା

କଳାହାଣ୍ଡି,୦୧/୧୧-ଆଗରୁ କଳାହାଣ୍ଡି ମେଡିକାଲ କଲେଜ ନାଁ ଥିଲା, ତାକୁ ବଦଳାଇ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହେଲା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଭାବରେ ! ଜିଲ୍ଲାର ଜଣେ ସ୍ବାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ମେଡିକାଲ କଲେଜ୍ ନାମିତ ହେବାକୁ ନେଇ ଜିଲ୍ଲାବାସୀ ବେଶ୍ ଖୁସିବ୍ୟକ୍ତ କରିଥିଲେ ! ସେଇ ଢଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ବବିଦ୍ୟାଳୟର ନାଁ ବଦଳାଇ ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି ! ଜିଲ୍ଲାବାସୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ମାଣିକେଶ୍ବରୀଙ୍କ ନାମରେ ବିଶ୍ବବିଦ୍ୟାଳୟ ନାମିତ ହେବାକୁ ନେଇ ଜିଲ୍ଲାବାସୀ ଖୁସି ହୋଇଛନ୍ତି ସତ ତେବେ କଳାହାଣ୍ଡି ଜିଲ୍ଲା ଗଠନ ଦିବସରେ ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଜିଲ୍ଲାର ନାଁକୁ ହଟାଇ ଦିଆଯିବାକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ! ଜିଲ୍ଲାରେ ଥିବା ଓ ଜିଲ୍ଲା ନାମରେ ନାମିତ ହୋଇଥିବା କଳାହାଣ୍ଡି ବିଶ୍ବବିଦ୍ୟାଳୟର ନାମ ହଟାଇ ନିଆଯିବାକୁ ନେଇ ନେଟିଜେନ୍ ମହଲରେ ବି ବେଶ୍ ପ୍ରତିକ୍ରିୟା ପ୍ରକାଶ ପାଇଛି ! ଏପରିକି ଐତିହାସିକ ଭବାନୀପାଟଣା ସହରରେ ଗତ ୧୯୬୦ ମସିହା ଜୁଲାଇ ୧୮ ତାରିଖରେ ବେସରକାରୀ ଭାବେ ଗଢ଼ି ଉଠିଥିବା ଏଇ ବିଶ୍ବବିଦ୍ୟାଳୟର ପ୍ରଥମ ନାଁ ଥିଲା କଳାହାଣ୍ଡି ସାଇନ୍ସ କଲେଜ ! ପ୍ରାୟ ବର୍ଷକ ପରେ କଳାହାଣ୍ଡି ସାଇନ୍ସ କଲେଜ ସରକାରୀ ମାନ୍ୟତା ପାଇବା ସଙ୍ଗେସଙ୍ଗେ ସରକାରୀ ସାଇନ୍ସ କଲେଜ ଭବାନୀପାଟଣା ଭାବେ ନାମିତ ହୋଇଥିଲା ! ୨୦୦୨ରେ ଏହା ସ୍ବୟଂଶାସିତ ମାନ୍ୟତା ପାଇବା ସହିତ ୨୦୦୫ରେ ନାକ୍ ଦ୍ବାରା ବି++ ଗ୍ରେଡ୍ ହାସଲ କରିଥିଲା ! ପରବର୍ତ୍ତୀ ସମୟରେ ଗତ ୨୦୨୦ ସେପ୍ଟେମ୍ବର ୧ ତାରିଖରେ ଏହା ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଥିଲା ! ତେବେ ବିଶ୍ବବିଦ୍ୟାଳୟ ଭାବେ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବ ବୈଶିଷ୍ଟ୍ୟ ବଜାୟ ରଖିଥିବା ଏଇ ବିଶ୍ବବିଦ୍ୟାଳୟ ଜିଲ୍ଲାର ଗୌରବମୟ ପରିଚୟର ଏକ ଉତ୍ସ ଭାବେ ସଦର୍ପେ ଛିଡ଼ା ହୋଇଛି ! ଆସ୍ଥା ଓ ଧାର୍ମିକ ବିଶ୍ବାସ ବ୍ୟତୀତ ମାଆ ମାଣିକେଶ୍ବରୀ ପୀଠ ଭଳି ସାରା ଦେଶରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ନିଜର ଏକ ସ୍ବତନ୍ତ୍ର ପରିଚିତି ଲାଭ କରିପାରିଛି ! ବର୍ତ୍ତମାନ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧୀନରେ ୫୬ଟି କଲେଜ ଅନୁବନ୍ଧିତ ହୋଇଥିବାବେଳେ ସେଥିମଧ୍ୟରେ ୫ଟି ନର୍ସିଂ କଲେଜ ଓ ଗୋଟିଏ ମେଡିକାଲ କଲେଜ ଅନ୍ତର୍ଭୁକ୍ତ ରହିଛି ! ଜିଲ୍ଲା ତଥା ଜିଲ୍ଲା ବାହାରର ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପସନ୍ଦ କଳାହାଣ୍ଡି ବିଶ୍ବବିଦ୍ୟାଳୟ ହୋଇଥିବାବେଳେ ରାଜ୍ୟ ସରକାର ହଠାତ୍ ବିଶ୍ବବିଦ୍ୟାଳୟର ନାଁ ବଦଳାଇ ଦେବାକୁ ଘୋଷଣା କରିଦେବାରୁ ସେମାନେ ସନ୍ଦିହାନ ହୋଇପଡ଼ିଛନ୍ତି ! ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତାର ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଥିବା କଳାହାଣ୍ଡି ବିଶ୍ବବିଦ୍ୟାଳୟ ଜିଲ୍ଲାବାସୀଙ୍କ ଅସ୍ମିତାର ପ୍ରତୀକ ଭାବେ ଉଭା ହୋଇଥିଲା ! ଏଣୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ଉପରେ ସରକାର ପୁନଃବିଚାର କରିବାକୁ ନେଇ ଆଲୋଚନା ଜୋର ଧରିଛି ! କାରଣ ମାଆ ମାଣିକେଶ୍ବରୀଙ୍କ ଭଳି କଳାହାଣ୍ଡିର ଶିକ୍ଷାର ମନ୍ଦିର ଭାବେ ପରିଚିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ସହିତ ଜିଲ୍ଲାବାସୀଙ୍କ ଭାବାବେଗ ଜଡ଼ିତ ରହିଛି ! ଏଣୁ ମାଆ ମାଣିକେଶ୍ବରୀଙ୍କ ନାମରେ ବିଶ୍ବବିଦ୍ୟାଳୟର ନାମକରଣ ବଦଳରେ ଏହାର ପୂର୍ବନାମ ହିଁ ଲେଖାଯିବା ଉଚିତ ବୋଲି ବହୁ ଲୋକେ ମତପ୍ରକାଶ କରିଛନ୍ତି ! ଏପରିକି ବିଶ୍ବବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରିବା ଦିଗରେ କର୍ତ୍ତ୍ରୁପକ୍ଷ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରାଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ