କଳାହାଣ୍ଡି,୦୩/୧୧- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଅବ୍ୟବସ୍ଥାରେ ଆରମ୍ଭ ହୋଇ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ! ବ୍ଲକର ୨୬ଗୋଟି ପଞ୍ଚାୟତରୁ ଶହଶହ ମହିଳାଙ୍କୁ କାର୍ଯ୍ୟକ୍ରମ ପାଇଁ ଅଣାଯାଇ ଯେପରି ହଇରାଣ କରାଯାଇଥିଲା, ମହିଳାମାନେ ବ୍ଲକ ପ୍ରଶାସନ ବିଶେଷ କରି ନେବା ଆଣିବା ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବକମାନଙ୍କୁ ଶୋଧୁଥିବା ଦେଖିବାକୁ ମିଳିଥିଲା ! ଆମକୁ ଟିଭି ଦେଖାଇବାକୁ ରାତିରୁ ଘରୁ ଉଠାଇ ଆଣିଲେ ବୋଲି ବହୁ ମହିଳା ବିଷୋଦଗାର କରୁଥିବା ଦେଖିବାକୁ ମିଳିଥିଲା ! ବଡ଼ି ଭୋରରୁ ମହିଳାମାନଙ୍କୁ ଘରୁ ବିଶ୍ବନାଥପୁର ନିଆଯାଇଥିବାବେଳେ ଜଳଖିଆ ବାବଦକୁ ବିସ୍କୁଟ ପ୍ୟାକେଟ୍ ଟିଏ ଧରାଇ ଦିଆଯାଇଥିଲା ! ଏପରିକି ମହିଳାମାନଙ୍କୁ ନେବା ଆଣିବା ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମରୋଜଗାର ସେବକମାନଙ୍କ ଅବହେଳା ଯୋଗୁଁ ପିଲାଛୁଆ ନେଇ ବିଶ୍ବନାଥପୁର ଯାଇଥିବା ବହୁ ମହିଳା ହଇରାଣର ଶିକାର ହୋଇଥିଲେ ! ସେହିପରି ଲକ୍ଷ୍ମୀ ବସରେ ଯାଇଥିବା ଲାଞ୍ଜିଗଡ଼ ରୋଡ଼, କଦମ୍ବଗୁଡ଼ା, ଭୁର୍ଟିଗଡ଼, କମର୍ଦ୍ଧା ଓ ଗୋବର୍ଦ୍ଧନପୁର ପଞ୍ଚାୟତର ବହୁ ମହିଳା ଫେରିବା ବେଳେ ବସ୍ ଖରାପ ହୋଇଯିବାରୁ ପିଲାଛୁଆ ଧରି ସନ୍ଧ୍ୟା ଯାଏଁ ବସିରହିବା ଦ୍ରୁଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା ! ଏପରିକି ଗୋବର୍ଦ୍ଧନପୁର ପଞ୍ଚାୟତର ବହୁ ମହିଳାଙ୍କ ତାଲିକା କରାଯାଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସେମାନଙ୍କୁ ଗାଡ଼ି ଯୋଗେ ନିଆଅଣା କରିବାରେ ବିଫଳ ହୋଇଥିଲେ ! ଯାହା ଫଳରେ ବହୁ ମହିଳା ନିଜ ନିଜ ବ୍ୟବସ୍ଥାରେ ବିଶ୍ବନାଥପୁର ଯାଇ ନିରାଶ ହୋଇ ଫେରିଥିଲେ ! ଏପରିକି ଏଇ ପଞ୍ଚାୟତର ଗାଡି଼ ଦାୟିତ୍ବରେ ଥିବା କର୍ମଚାରୀମାନଙ୍କ ଦାୟିତ୍ବହୀନତା ଯୋଗୁଁ ବହୁ ମହିଳା ବ୍ୟାପକ ହଇରାଣ ହରକତ ହୋଇଥିଲେ ! ସେହିପରି ସଭାସ୍ଥଳରେ ମଧ୍ୟ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ! ଶୋଷରେ ଆଉଟୁପାଉଟୁ ହେଉଥିବା ପିଲାଛୁଆ ଓ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପାଣି ଟୋପାଏ ସୁଦ୍ଧା ଦେବାକୁ କେହିନଥିଲେ ! ସବୁଠୁ ବେଶି ଅବ୍ୟବସ୍ଥା ଦେଖାଦେଇଥିଲା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରେସ୍ ଗ୍ୟାଲେରୀରେ ! ନାମକୁ ମାତ୍ର ପ୍ରେସ୍ ଗ୍ୟାଲେରୀ ଥିବାବେଳେ ସାମ୍ବାଦିକମାନଙ୍କ ଉଦ୍ଦିଷ୍ଟ ଚୌକିଗୁଡ଼ିକୁ ଅଣସାମ୍ବାଦିକ, ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ମାଡ଼ି ବସିଥିଲେ ! ଫଳରେ ସାମ୍ବାଦିକମାନଙ୍କୁ ଖବର ପ୍ରସ୍ତୁତିରେ ସମସ୍ୟା ଦେଖା ଦେଇଥିଲା ! ସମସ୍ତଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା ଥିବାବେଳେ ଖାଇବାକୁ ତ ଦୂରର କଥା ସାମ୍ବାଦିକମାନଙ୍କୁ ପାଣି ଟୋପାଏ ପାଇଁ କେହି ପଚାରିନଥିଲେ ! ଏପରି ଅବ୍ୟବସ୍ଥା ଯୋଗୁଁ ଗତ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଭବାନୀପାଟଣାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅଣଦେଖାକୁ ପ୍ରତିବାଦ କରି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ ! ବିଶ୍ବନାଥପୁରଠାରେ ଆୟୋଜିତ ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଠିକ୍ ତାହାର ପୁନରାବ୍ରୁତ୍ତି ହେଲା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଜୁଳୁଜୁଳୁ କରି ଚାହିଁବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା ! ଆଜିର କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲେ ହେଁ କିଛି ଅଧିକାରୀ, ପିଇଓ, ଜିଆର୍ ଏସ୍ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଫସର ଫାଟିଲା ବୋଲି ଆଲୋଚନା ହେଉଛି !