ଧାନକ୍ରୟ ପ୍ରସ୍ତୁତି ନିମନ୍ତେ ବୈଠକ


ଦେବଗଡ଼: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ୨୦୨୩-୨୪ ଖରିଫ ବର୍ଷ ନିମନ୍ତେ ଧାନକ୍ରୟ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା ପାୱାର ପଏଣ୍ଟ ମାଧ୍ୟମରେ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଜିଲ୍ଲାରେ ଥିବା ରାଇସ ମିଲରେ ତୁରନ୍ତ ଡାଇନାମିକ ବେଲଣ୍ଡିଙ୍ଗ ମେସିନ ଲଗାଇବା ପାଇଁ ମିଲରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଧାନ କ୍ରୟ ହେବା ପୂର୍ବରୁ ପ୍ରତ୍ୟେକ ମଣ୍ଡିରେ ପ୍ରାମାଣିକ ଓଜନ କଣ୍ଟା, ଏଫଏକ୍ୟୁମାନର ପରୀକ୍ଷଣ ଯନ୍ତ୍ରପାତି, ମାନ ପରୀକ୍ଷଣ କର୍ମଚାରୀ ଉପଲବ୍ଧ କରାଇବାକୁ ଜିଲ୍ଲାପାଳ ଆରଏମସି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରତ୍ୟେକ ଧାନମଣ୍ଡିରେ କମ୍ପ୍ୟୁଟର, ପ୍ରିଣ୍ଟର, ଇଣ୍ଟରନେଟ, ଇନଭର୍ଟର ଓ ଇଲେକ୍ଟ୍ରିସିଟି ଆଦି ଉପଲବ୍ଧ କରାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ସମାଜ ମଙ୍ଗଳ ନରହରି ସିଂ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କ ସମେତ ଆରଏମସି କର୍ମଚାରୀ, ଯୋଗାଣ ବିଭାଗର ଅଧିକାରୀ ଓ ସମବାୟ ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।