ଆସ୍ଥା ଓ ବିଶ୍ୱାସ ର ଦେବତା ବୁଢାରଜା ଙ୍କ ବାର୍ଷିକ ଦଶରା, ଲାଠିଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ।


କୋକସରା,୦୪/୧୧(ସନତ ପ୍ରଧାନୀ) ଆସ୍ଥା ଓ ବିଶ୍ୱାସ ର ଦେବତା ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶର ଶନିବାର ମହା ଆଡମ୍ବରରେ ପାଳନ ହୋଇଯାଇଛି।କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆମପାଣି ବୁଢାରଜା ଦେବଙ୍କ ବାର୍ଷିକ ଦଶରା ବିଳମ୍ବିତ ରାତିରେ ସମାପନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଦଶରା ପୁଜାରେ ବୁଢାରଜା ପୀଠରେ ଶୁକ୍ଲ ଭୋଗ ଓ ପାର୍ଶ୍ବ ଦେବାଦେବୀଙ୍କୁ ରକ୍ତ ଭୋଗ ରେ ସନ୍ତୁଷ୍ଟ କରିଥିଲେ ମାନସିକଧାରୀ ଶ୍ରଦ୍ଧାଲୁ ।ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ,ଧୂପ ଓ ମୁଆଁ ଦେଇ ପୁଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଲାଗିହୁଏ। ଭକ୍ତ ମାନେ ମାନସିକ ପୁରଣ ପାଇଁ ଦେଇଥିବା ପଶୁ ପକ୍ଷୀକୁ ବୁଢାରଜାଙ୍କ ଠାରେ ଅର୍ପଣ କରି ଜେନାବୁଢା ଦେବତା ନିକଟରେ ବଳି ଦେଇଥିବା ଦେଖିବାକୁ ମିଳିଛି । ଆଜି ଦଶରା ପୁଜାର କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇଥିଲା। ସକାଳ ୭ ଘଣ୍ଟା ରୁ ବୁଢ଼ାରଜା ଙ୍କ ମନ୍ଦିର ରେ ଭକ୍ତ ମାନେ ଦର୍ଶନ କରିବା ସହ ସକାଳ ୧୧ଟା ଗ୍ରାମ ପୂଜକ ଙ୍କ ଘରୁ ବିରାଟ ପଟୁଆରରେ ଲାଠିଯାତ୍ର ଆରମ୍ଭ ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବୁଢାରଜା ମନ୍ଦିରକୁ ଦିନ ୧ ଘଣ୍ଟା ମଧ୍ୟରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ୨୦ରୁ ଉର୍ଦ୍ଧ ଦେବାଦେବୀଙ୍କ ଦେବୀ ଲାଠି,କାଳିଶି ଘୁମୁରା ଓ ଲୋକ କଳାକାର ଙ୍କ ନୃତ୍ୟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମି ଝୁମି ନାଚି ଯାଉଥିବା ଦୃଶ୍ୟ ହଜାର ହଜାର ଭକ୍ତ ଓ ଦର୍ଶକକୁ ଆକର୍ଷିତ କରିଥିଲା । ପୁଜକ ଘର ଠାରୁ ମନ୍ଦିର ଯାଏଁ ନାହିଁ ନଥିବା ଜନ ଗହଳି ଦେଖିବାକୁ ମିଳିଥିଲା । ମନ୍ଦିରକୁ କୁ ଦେବାଦେବୀ ଙ୍କ ଲାଠି ପହଞ୍ଚିବା ପରେ ଲାଠି ଯାତ୍ରାକୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା । ଲାଠିଯାତ୍ରା ପରିକ୍ରମା ସମୟରେ ବାଟରେ ବାଳିଗଜା ଅର୍ପଣ କରା ଯାଇଥିଲା । ଲାଠିଯାତ୍ରା ରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ନେତ୍ରୀ ଡ଼.ସୁନିତା ମୁଣ୍ଡ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ସାମିଲ ହୋଇଥିଲେ।ଲାଠିଯାତ୍ରା ବୁଢାରଜା ପୀଠକୁ ପହଞ୍ଚିବା ପରେ ଉକ୍ତ ବାଲି ଗଜାକୁ ବୁଢାରଜାଙ୍କ ପୁଜା ସ୍ଥଳରେ ରଖାଯାଇ ପୁଜା କରାଯାଇଥିଲା । ପରେ ପୁଜକ ଫକିର ମୋହନ ପୁଝାରିଙ୍କ ଦ୍ୱାରା ପୁଜାପାଠ ଆରମ୍ଭ ହୋଇଥିଲା । ପୁଜା କାର୍ଯ୍ୟ ଚାଲୁଥିବା ସମୟରେ ବୁଢାରଜା ଦେବଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଥିଲା । ବୁଢାରଜା ପୀଠରେ ଠୁଲ ହୋଇଥିବା ସମସ୍ତ ଦେବାଦେବୀ ଏହି ମଣ୍ଡେଇ ଯାତ୍ରାରେ ସାମିଲ ହୋଇ ବଜାର ପଡିଆ ପରିକ୍ରମା କରିଥିଲେ । ମଣ୍ଡେଇ ଯାତ୍ରା ସମାପନ ହେବା ପରେ ପୁଣି ଥରେ ବୁଢାରଜା ପୀଠକୁ ଦେବାଦେବୀ ମାନେ ଚାଲି ଯାଇଥିଲେ । ପରେ ମନ୍ଦିର ନିକଟରେ ଥିବା ଏକ ଗଛରେ ଜହ୍ନିକୁ ବାନ୍ଧି ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶହ ଶହ ଯୁବକ ଏହି ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗ ଦେଇ ଗଛ ଶିଖରରେ ରଖାଯାଇ ଥିବା ଜଂହି କୁ ଲକ୍ଷ୍ୟ କରି ଲାଖବିନ୍ଧା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଶହ ଶହ ମାନସିକଧାରୀ ଭକ୍ତ ମାନେ ମନ୍ଦିର ପାର୍ଶ୍ଵରେ ଥିବା ଜେନାବୁଢା ପୀଠରେ ପଶୁପକ୍ଷୀବଳି ଦେଇଥିଲେ। ଭକ୍ତ ଓ ମାନସିକଧାରୀ ନିଜର ମନସ୍କାମନା ପୁରଣ ଓ ସୁଖରେ ରଖିଥା କାମନା କରି ଗୁହାରି କରିଥିଲେ। ସଂଧ୍ୟାରେ ବୁଢାରଜା ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉଦଘାଟନ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ପଡୋଶୀ ଜିଲ୍ଲା ରୁ ଅନେକ ସାଂସ୍କୃତିକ ଦଳ ଯୋଗ ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକୁ ବିମୋହିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆମପାଣି ବୁଢାରଜା ଦଶରା ମହୋତ୍ସବରେ ବହୁଳ ଭାବେ ଜନ ଗହଳି ରହିଥିବାରୁ ଉପଖଣ୍ଡ ପୋଳିସ ଅଧିକାରୀ ଧିରଜ କୁମାର ଚୋପଦାର ଙ୍କ ନେତୃତ୍ୱରେ ପୋଲିସର ପଦାଧିକାରୀ ମାନେ ଉପସ୍ଥିତ ରହି ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଆମପାଣିର ସବୁ ସ୍ଥାନରେ ପୋଲିସ ଓ ଫୋର୍ସ ମୃତୟନ କରିଥିଲେ । ଅନୁଷ୍ଠିତ ବାର୍ଷିକ ଦଶରା ପୁଜା ଓ ମହୋତ୍ସବ କାର୍ଯ୍ୟକ୍ରମକୁ ବୁଢାରଜା ପୁଜା କମିଟି ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ-ସଭାପତି ତିଲୋତ୍ତମା ନାଏକ, ସଂପାଦକ ନକୁଳ ବାଣୁଆ, ସହ ସଂପାଦକ ସନ୍ତୋଷ ମାଝୀ କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ପଣ୍ଡା, ବିଘ୍ନେସ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ମନୋରଞ୍ଜନ ବାଣୁଆ,ମହେଶ୍ୱର ପୁଝାରି,ତ୍ରିନାଥ ପ୍ରସନ୍ନ ରାୟ, ବିନୋଦ ସିଂ, ସୁରେଶ ସାହୁ,ବି .ଭାସ୍କର ରାଓ, ଦୟାନିଧି ନାଏକ, ରହସ୍ୟ ନାଏକ, ଗୋବିନ୍ଦ ନାଏକ, କେଶବ ବେଣୁପାଣି, ରାଜ କିଶୋର ପଟେଲ,ମହେଶ୍ବର ପୁଝାରି, ପ୍ରମୂଖ କମିଟିର ଶତାଧିକ କର୍ମକର୍ତା ସହଯୋଗ କରିଥିଲେ । ଏହି ଦଶରା ପୁଜା ଓ ମହୋତ୍ସବ ଦେଖିବାକୁ ସୀମାନ୍ତ ଜିଲା,ରାଜ୍ୟ ତଥା ଆଖପାଖ ଅଂଚଳରୁ ୨୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକ ସମାଗମ ହୋଇଥିଲେ ।