ବାନ୍ଧକଳା ରେ ଦୀପାବଳି ଶାଢ଼ି ତିଆରି କରି ଚର୍ଚ୍ଚା ରେ କେନ୍ଦୁପାଲି ଗ୍ରାମ ମନୋଜ ମେହେର


ବୀରମହାରାଜପୁର : ସୁକ୍ଷ୍ମ ସୁତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ ସୁବର୍ଣ୍ଣପୁର । କେତେବେଳେ ଐଶର୍ଯ୍ୟା ରାଏଙ୍କ ପାଇଁ ଶାଢୀବୁଣି ହେଉ ତ ଅଉ କେତେବେଳେ ବିଦ୍ୟାବାଲନ ଶାଢୀ ବୁଣି ବେଶ ନାଁ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ବନ୍ଧ ଶିଳ୍ପୀ । କିଛିଦିନ ଆଗରୁ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ମାନେ ମାଁ ଶାଢ଼ୀ , ଫ୍ରେଣ୍ଡ୍‌ସ ଶାଢ଼ୀ , ଗଂଜପା ଶାଢ଼ୀ ଓ ଯୋଗ ଶାଢୀ ତିଆରି କରି ଚର୍ଚ୍ଚାକୁ ଆସିଥିବାବେଳେ ଏବେ ପୁଣି ତିଆରି କରିଛନ୍ତି ଦୀପାବଳୀ ଶାଢୀ ।ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କେନ୍ଦୁପାଲି ଗ୍ରାମର ମନୋଜ ମେହେର ଦୀପାବଳୀ ଶାଢ଼ି କରି ଏବେ ଚର୍ଚ୍ଚା ରେ । ଗ୍ରାମର ବାନ୍ଧ ଶିଳ୍ପୀ ମଙ୍ଗୁଳୁ ମେହେର ଓ ନଳିନୀ ମେହେର ଙ୍କ ପୁଅ ମନୋଜ କରିଛନ୍ତି ଏହି ଦୀପାବଳୀ ଶାଢ଼ି । ହସ୍ତତନ୍ତ ଓ ବାନ୍ଧକଳାକୁ ନେଇ ମେହେର ବା ଭୁଲିଆ ସମ୍ପ୍ରଦାୟର ଜୀବନ ଜୀବିକା । ଏମାନଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା । ହସ୍ତତନ୍ତ ଭିତରେ ସମାଜର ବିଭିନ୍ନ ସଂସ୍କୃତି ପରମ୍ପରାକୁ ସ୍ଥାନିତ କରିବାରେ ଶିଦ୍ଧହସ୍ତ ଏଠିକାର ବାନ୍ଧଶିଳ୍ପୀ । ତିଆରି ହୋଇଥିବା ଦୀପାବଳୀ ଶାଢ଼ୀଟି ସୁକ୍ଷ୍ମ ମାଲବରି ସିଲ୍କ ସୁତାରେ ପ୍ରସ୍ତୁତ ହୋଇଛି । ଶାଢୀର ଦେହ ସାରା ମେହେର ସମ୍ପ୍ରଦାୟର ତନ୍ତ ସାମଗ୍ରୀ ଯଥା ର ହଁଟା , କୁଂଚି , ଖୁଂଟାପଟା , ଅସାରୀ , କମଡା , ନରି , ମଙ୍ଗl ସହ ଦୀପାବଳୀରେ ପ୍ରସ୍ତୁତ ହେଉଥିବା ପୀଠ.ମଣ୍ଡା,ଠେରରା ଭଳି ଜିନିଷକୁ ସ୍ଥାନିତ କରାଯାଇଛି । ଏହାସହ ସେହିଦିନ ଭୁଲିଆ ସମ୍ପ୍ରଦାୟ ଦ୍ୱାରା ଗାଁ ଦାଣ୍ଡରେ ଆଖୂଦଣ୍ଡଧରି ବାହାରୁଥିବା ଶୋଭାଯାତ୍ରାର ଝଲକ ସହ ସେତେବେଳେ ଗାନ କରାଯାଉଥିବା ଗୀତ ଅଜା ବାହାବେ,ଖଣ୍ଡ ଖଜା ଖାବେ,ଆନ୍ଧାରେ ଆବେ,ଉଜଲେ ଯାବେ ପଦକୁ ମଧ୍ୟ ସ୍ଥାନିତ କରାଯାଇଛି । ତେବେ ଉକ୍ତ ଶାଢ଼ୀ ଟି ତିଆରି କରିବାକୁ ପ୍ରାୟ ଏକ ମାସ ସମୟ ଲାଗିଥିବା ବେଳେ ପରିବାର ର ସମସ୍ତେ ମିଶି ଏହା କୁ ତିଆରି କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ରହିଥିବା ପ୍ରକାଶ କରିଛନ୍ତି ମନୋଜ। ଏହି ଶାଢ଼ୀ କୁ ତିଆରି କରିବାରେ ସାହାଯ୍ୟ କରିଛନ୍ତି ତାଙ୍କ ଗୁରୁ ପ୍ରଫୁଲ୍ଲ ମେହେର । ପାରମ୍ପାରିକ ମଙ୍ଗାରେ ପ୍ରସ୍ତୁତ ହୋଇଥାଏ ଏସବୁ ବସ୍ତ୍ର ର ଚାହିଦା ରହିଥିବା ବେଳେ ବିଶ୍ଵ ଦରବାର ରେ ନିଜ ଅଞ୍ଚଳ ତଥା ନିଜର ପରିଚୟ କରିବା ପାଇଁ ଏହି ଶାଢ଼ୀ କରିଥିବା କହିଛନ୍ତି ମନୋଜ। ବର୍ଷକଥରେ ମେହେର ବା ଭୁଲିଆ ସମ୍ପ୍ରଦାୟ ର ଦୀପାବଳୀ ମୁଖ୍ୟ ପର୍ବ ହୋଇଥିବାରୁ ଏହି ଦିନରେ ସେମାନଙ୍କ ଜୀବନ ଜୀବିକା ତନ୍ତକୁ ଧୋଇ ତନ୍ତ ଶାଳାରେ ପୂଜା କରିବା ସହ ପୂର୍ବ ପୁରୁଷାଙ୍କୁ ଡାକ୍ତନ୍ତି ଏହି ସମ୍ପ୍ରଦାୟ । ତେବେ ଧିରେ ଧରେ ଆଧୁନିକତାର ଛାପରେ କାଠ ବଦଳରେ ତନ୍ତ ସମାଗ୍ରୀ ମଧ୍ୟ ଲୁହାରେ ପରିବର୍ତନ ହେଲାଣି । ଏଣୁ ଦୀପାବଳିରେ ଆଗଭଳି ତନ୍ତ ସାମଗ୍ରୀକୁ ଖୋଲି ଧୋଇବା କିମ୍ବା ସେହିଭଳି ପିଠା କରିବାର ମଧ୍ୟ କମିଗଲାଣି । ଏଣୁ ଭୁଲିଆ ସମ୍ପ୍ରଦାୟର ଏହି ନିଆରା ପରମ୍ପରାକୁ ଉଜ୍ଜିବିତ କରିବା ଲକ୍ଷରେ ଏହିଭଳି ଏକ ଦିଆଲି ଶାଢୀ ପ୍ରସ୍ତୁତିର ପରକଳ୍ପନା କରାଯାଇଥିବା ତାଙ୍କ ଗୁରୁ ପ୍ରଫୁଲ୍ଲ ମେହେର କହିଛନ୍ତି। ଏହି ଶାଢୀ ପାଇଁ ବୁଣାକାର ମନୋଜ ମେହେରଙ୍କୁ ରାଜ୍ୟ ହସ୍ତତନ୍ତ ବିଭାଗ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇସାରିଛି । ଏବେ ବଜାରରେ ଏହି ଶାଢୀର ଚାହିଦା କାହିଁରେ କଣ ରହିଛି । ସୁଚନମତେ ମନୋଜ ଙ୍କ ବାପା ମଙ୍ଗଳୁ ରାଜ୍ୟ ଓ ଜାତୀୟ ସ୍ତରରେ ବାନ୍ଧ କଳା ପାଇଁ ପୁରସ୍କୃତ ହୋଇ ସାରିଥିବା ବେଳେ ତାଙ୍କ ମାଆ ନଳିନୀ ମଧ୍ୟ ରାଜ୍ୟ ସ୍ତରରେ ଏଥିପାଇଁ ପୁରସ୍କୃତ ହୋଇ ସାରିଛନ୍ତି।