ଦେବଗଡ଼:ବାରକୋଟ ବ୍ଲକ ପୁରୁକୁଣ୍ଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ଅଭିଯୋଗରେ ଆଜି ସ୍କୁଲରେ ତାଲା ପକାଇଦେଇଛନ୍ତି ଗ୍ରାମବାସୀ । ଏହାସହିତ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ପ୍ରାପ୍ତ ସୂଚନା ଅନୁଯାୟୀ, ପୁରୁକୁଣ୍ଡା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପୁରୁକୁଣ୍ଡା, ଭାଲୁପାଲି, ବଗଛେରା, ରମ୍ଭେଇ, କରଡ଼ାପାଳ ଆଦି ଗ୍ରାମରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୬୩ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠପଢୁଛନ୍ତି । ପୂର୍ବରୁ ଥିବା ଶ୍ରେଣୀ କୋଠରୀ ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡିଥିବା ଯୋଗୁଁ ସେଗୁଡିକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି। ତେଣୁ ତା ମଧ୍ୟରେ ପାଠ ପଢିବା ସମ୍ଭବ ନୁହେଁ। ଯାହାଫଳରେ ୨ଟି ଶ୍ରେଣୀ ଓ ବାରଣ୍ଡାରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲାପରେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଯୋଗୁଁ ଗ୍ରାମବାସୀ ମାନେ ମଙ୍ଗଳବାର ଠାରୁ ସ୍କୁଲ ରେ ତାଲାବନ୍ଦ ପକାଇ ଧାରଣାରେ ବସିଛନ୍ତି । ସରକାର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତୃଣମୂଳ ସ୍ତରରେ ଏହାର ସୁଫଳ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ତେବେ ପୁରୁକୁଣ୍ଡା ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ଅଭାବ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।