Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଆ ବୁଢ଼ାକେନ୍ଦୁଙ୍କ ଐତିହାସିକ ବାର୍ଷିକ ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ,

ବେଲଗୁଣ୍ଠା,27/11, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଚଳିତ ବର୍ଷ ଅନୁକୂଳ ପାଗ ଏବଂ ଧାନ କଟା ଆରମ୍ଭ ହୋଇନଥିବାରୁ ଏହି ଐତିହାସିକ ପର୍ବରେ ଦୀର୍ଘ ସତୁରୀ ବର୍ଷର ରେକର୍ଡ଼ ବର୍ଷର ଭଙ୍ଗ କରି ଏକ ଲକ୍ଷ ଚାଳିଶି ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ଏହି ଗହଳି ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ରହିଥିଲା I ମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତି କ୍ରମେ ଆଜି ଭୋର୍ ଚାରିଟାରେ ମାଆଙ୍କ ଦ୍ୱାର ଫିଟାଯିବା ସହିତ ରୀତିନୀତି ପୂର୍ବକ ମାଜଣା ଏବଂ ଆଳତି ଅନୁଷ୍ଠିତ ହୋଇଥିଲା I ସକାଳ ଛଅ ଘଣ୍ଟା ସମୟରେ ମାଆଙ୍କର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଥିଲା I ସକାଳୁ ସକାଳୁ ହିଁ ମାଆଙ୍କ ଦର୍ଶନ ପାଇଁ ଭିଡ଼ ବଢ଼ିବା ସହିତ ଦିନ ଦଶଟା ବେଳକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା I ଗଞ୍ଜାମ ଜିଲ୍ଳା ସମେତ ପଡ଼ୋଶୀ କନ୍ଧମାଳ, ଗଜପତି ଏବଂ ନୟାଗଡ଼ରୁ ମଧ୍ୟ ବହୁ ଭକ୍ତଙ୍କ ସୁଅ ଛୁଟିଥିଲା I କ୍ଷତ୍ରିୟବରପୁର ଠାରୁ ମାଆଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସମୁଦ୍ର ସୃଷ୍ଟି ହୋଇଥିଲା I ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ଯାନବାହନର ପାର୍କିଂ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା I ଭକ୍ତଙ୍କ ଗହଳି ସହିତ ଶହ ଶହ ପସରା ଉତ୍ସବକୁ ଦ୍ୱିଗୁଣିତ କରିଥିଲା I ବିଶେଷ କରି ବିଭିନ୍ନ ଘର କରଣା ସାମଗ୍ରୀର ଷ୍ଟଲ୍ ନିକଟରେ ମହିଳା ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ବେଳେ ଆଇସ୍କ୍ରିମ୍,ଖେଳଣା ଷ୍ଟଲ୍ ରେ ଛୋଟ ପିଲା ଏବଂ ବିଭିନ୍ନ ଫାଷ୍ଟ ଫୁଡ୍ ଷ୍ଟଲ୍ ରେ ଯୁବ ଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା I କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ,ରେଡ଼୍ ରିବନ୍,ସ୍କାଉଟ୍ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ କରିବା ସହ ନିଶା ନିବାରଣ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା I ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଷ୍ଟଲ୍ ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାଆଙ୍କ କାନିକା ଭୋଗ ବଣ୍ଟନ କରାଯାଇଥିଲା I କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା ଏବଂ ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଭଞ୍ଜନଗର ଆଡିସନାଲ୍ ଏସ୍.ପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ ଜେନାଙ୍କ ତତ୍ତ୍ୱାବଧାନ ତଥା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନେତୃତ୍ୱରେ ଚଉଦ ଏସ୍ଆଇ, ଏକୋଇଶି ଏଏସ୍ଆଇ,ମହିଳା ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ମହିଳା ପୋଲିସ୍ ସମେତ ପାଞ୍ଚ ପ୍ଲାଟୁନ ପୋଲିସ୍ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I ବିଶେଷ କରି କିଛି ଯୁବକ ଗହଳି ସ୍ଥାନରେ ଉଚ୍ଚ ଶବ୍ଦରେ ପେଁକାଳୀ ବଜାଇ ଦର୍ଶକଙ୍କୁ ବିରକ୍ତ କରୁ୍ଥିବା ବେଳେ ପୋଲିସ୍ କର୍ମଚାରୀମାନେ ସେମାନଙ୍କୁ ତାଗିଦ୍ କରିଥିଲେ I ପୋଲିସ୍ ର ଏହି ପଦକ୍ଷେପକୁ ଭକ୍ତମାନେ ଉଚ୍ଚ ପ୍ରଶଂସା କରିଥିଲେ I ମନ୍ଦିର ପରିଚାଳନା କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି, ସ୍ଵେଚ୍ଛାସେବୀ, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଉତ୍ସବରେ ପୂର୍ଣ୍ଣ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ