ଝାରସୁଗୁଡା ୩୦/୧୧ (ଓଡ଼ିଶା ନ୍ୟୁଜ) ରାଜ୍ୟ ସରକାର ସାରା ରାଜ୍ୟରେ ନଭେମ୍ବର ୧ ତାରିଖ ଠାରୁ ଧାନ ମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ । ମାତ୍ର ଝାରସୁଗୁଡା ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ମଣ୍ଡି ଖୋଲି ନାହାନ୍ତି । ଯାହା ଫଳରେ ଚାଷୀ ମାନେ ଅମଳ ଧାନକୁ ଶାଗମାଛ ଦରରେ ବ୍ୟବସାୟୀ ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ବୁଧବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦ୍ଵିତୀୟ ଭୋଇଙ୍କ ନେତୃତ୍ୱରେ ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଏକ ଦାବିପତ୍ର ଝାରସୁଗୁଡ଼ା ଉପ ଜିଲ୍ଲାପାଲଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ହୋଇଥିବା ଖରିଫ ଧାନ ଫସଲର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୁରଣ ଦେବା ସହ ଫସଲ ବିମା ପ୍ରଦାନ କରିବା, ଯଥାଶିଘ୍ର ଧାନମଣ୍ଡି ଖୋଲିବା , ଧାନ କିଣା ସମୟରେ କଟନି ଛଟଣିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଧାନ କିଣା ସମୟରେ ମିଲର୍ସ ମାନଙ୍କ ମନମୁଖୀ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା ସହ ଟୋକନ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ଉଲ୍ଲେଖ ରହିଛି । ରାଜ୍ୟ ସରକାର ଯଦି ଦାବି ଗୁଡିକୁ ଯଥାଶୀଘ୍ର ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଏହା ସହିତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ଝାରସୁଗୁଡା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ମୁରାରୀ ପ୍ରସାଦ ପାଣିଗ୍ରାହୀ , ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ ଓ ଟିକେତ ସାହୁ , ଜିଲ୍ଲା ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର ସିଂହ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।