ଝାରସୁଗୁଡା ୩୦/୧୧ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ରେଙ୍ଗାଲି ଥାନା ଅନ୍ତର୍ଗତ ଜାମଗାଁ ଗ୍ରାମର ମୁକଦମ ପସାୟତଙ୍କ ପୁଅ ତେଜରାମ(୫୪) ବୋଲି ଜଣା ପଡ଼ିଛି ।
ହସ୍ତଗତ ହୋଇଥିବା ସୂଚନା ଅନୁସାରେ ମୃତ ତେଜରାମ ବୁଧବାର ସକାଳେ ମହାନଦୀ କୂଳରେ ଥିବା ଚାଷଜମିକୁ ଅମଳ ଧାନ କାଟିବା ପାଇଁ ଯାଇଥିଲେ । ସକାଳ ପ୍ରାୟ ୧୧ ଟା ସମୟରେ ସେ ବିଲରେ ଧାନ କାଟୁଥିବା ବେଳେ ହଠାତ ଏକ ବିଷଧର ସାପ ତାଙ୍କ ଗୋଡ଼ରେ ଚୋଟ ମାରିଥିଲା । ଫଳରେ ସେ ଘରକୁ ଫେରିଆସି ଘର ଲୋକଙ୍କୁ କହିବାରୁ ସାଙ୍ଗେ ସାଙ୍ଗେ ତାଙ୍କୁ ବେଳପାହାଡ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ପକ୍ଷରୁ କୁହା ଯାଇଛି ।
ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ତାଙ୍କ ପୁଅ ଶ୍ରୀନିବାସ ପସାୟତ ଲିଖିତ ଭାବେ ଜଣାଇଛନ୍ତି । ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ବେଳପାହାଡ଼ ଟିଆରଏଲ ହସ୍ପିଟାଲର ଶବଗୃହରେ ତାଙ୍କ ମୃତ ଶରୀରକୁ ରଖା ଯାଇଛି । ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରା ସୂଚନା ଦେଇଛନ୍ତି ।
ବର୍ତ୍ତମାନ ତାଙ୍କର ବିଧବା ପତ୍ନୀ ଓ ଅବିବାହିତ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ମୃତ ତେଜରାମଙ୍କ ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ । ତେଣୁ ତାଙ୍କ ପରିବାର ଲୋକଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜାମଗାଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।