Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା

ଝାରସୁଗୁଡା ୦୧/୧୨ ଜାତୀୟ ରାଜପଥ ୪୯ ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡାଥିବା ଏକ ଟ୍ରଲର ଗାଡ଼ି ପଛପଟେ ପିଟିହୋଇ ବାଇକ ଚାଳକ ୧୫ ବର୍ଷର ବାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ପଛରେ ବସିଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ମୃତ ବାଳକ ଜଣକ ହେଉଛନ୍ତି ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ନାରାୟଣ କାଲୋଙ୍କ ୧୫ ବର୍ଷର ପୁଅ ଦିନେଶ (ମଣ୍ଟୁ) ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଆଶୁତୋଷ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହ ଶବକୁ ପଞ୍ଚନାମା କରିବା ପରେ ଝାରସୁଗୁଡା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ ଆଜି ଦିବା ପ୍ରାୟ ସାଢ଼େ ବାରଟା ସମୟରେ ଦିନେଶ ଏବଂ ତାଙ୍କ ଅନ୍ୟ ଜଣେ ସାଙ୍ଗ ଓଡି-୨୩-ଡି-୧୨୦୭ ନମ୍ବର ବିଶିଷ୍ଟ ଏକ1 ବାଇକ ଯୋଗେ ଗୋବିନ୍ଦପୁର ସ୍ଥିତ ନିଜ ଘରୁ କଦମଡିହିକୁ କୌଣସି କାମରେ ଯାଉଥିବା ବେଳେ ଏନଏଚ-୪୯ ଗୋବିନ୍ଦପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ପୂର୍ବରୁ ଛିଡ଼ା ହୋଇଥିବା (ଏନଏଲ-୦୧-ଏଫ-୨୩୮୨) ଏକ ଲୁହା ପ୍ଲେଟ ବୋଝେଇ ଟ୍ରଲର ପଛପଟେ ଧକ୍କା ମାରିଥିଲେ । ଫଳରେ ଘଟଣା ସ୍ଥଳରେ ଦିନେଶ ମୃତ୍ୟୁ ବରଣ କରିଥିବା ବେଳେ ବାଇକ ପଛରେ ବସିଥିବା ସାଙ୍ଗ ଜଣକ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିଲେ । ଏ ସମ୍ପର୍କରେ ରେଙ୍ଗାଲି ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଏସଆଇ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ ଯେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଘଣ୍ଟା ଘଣ୍ଟା ଧରି ଭାରିଯାନ ଗୁଡିକ ବେନିୟମ ଭାବେ ଛିଡ଼ା ରହୁଥିବା ଯୋଗୁଁ ଏପରି ବାରମ୍ବାର ଦୁର୍ଘଟଣା ମାନ ଘଟୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । ତେଣୁ ଭାରିଯାନ ମାନଙ୍କ ବେଆଇନ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ