ବ୍ରେକ ଡାଉନ ଟ୍ରକ ପଛରେ ପିଟିହୋଇ ବାଇକ ଚାଳକ ଗୁରୁତର


ଝାରସୁଗୁଡା ୨/୧୨ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା କନକତୋରା ଜାତୀୟ ରାଜପଥ ୪୯ ରେ ଦୁର୍ଘଟଣା ଥମିବାର ନାଁ ଧରୁନି । ଗତ କିଛି ଦିନ ହେବ ଲଗାତାର ଭାବେ ଦୁର୍ଘଟଣା ମାନ ଘଟି ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ କେତେକ ଗୁରୁତ୍ର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତଥାପି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନିକ ସ୍ତରରେ କୌଣସି ଗୁରୁତ୍ୱ ଦିଆ ଯାଉ ନଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ଜାତୀୟ ରାଜପଥରେ ଶୁକ୍ରବାର ଦିନ ପୁଣି ଏକ ଦୁର୍ଘଟଣା ଘଟିଛି । ରେଙ୍ଗାଲି ଥାନା ଅନ୍ତର୍ଗତ ଭିକମପାଲି ପଞ୍ଚାୟତ ଚିଖିଲାପାଲି ଗାଁ ବନ୍ଧ ନିକଟରେ ରାସ୍ତା କଡରେ ବ୍ରେକ ଡାଉନ ହୋଇ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ପିଟିହୋଇ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ଚିଖିଲାପାଲି ଗ୍ରାମର ଆନନ୍ଦ ଗୌଡ଼ (୫୫) ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।
ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟା ସମୟରେ ଆନନ୍ଦ କୌଣସି କାମରେ ପଞ୍ଚଗାଁକୁ ଯାଇ ଘରକୁ ଫେରିବା ବେଳେ ରାସ୍ତା କଡ଼ରେ ବ୍ରେକ ଡାଉନ ହୋଇ ଛିଡ଼ା ହୋଇଥିବା (ସିଜି-୧୫-ଏସି-୫୧୯୭) ଏକ ସ୍ୱଞ୍ଜ ଆଇରନ ବୋଝେଇ ଟ୍ରକ ପଛକୁ ଧକ୍କା ମାରିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ଏ ସମ୍ପର୍କରେ ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଥାନା ପ୍ୟାଟ୍ରୋଲିଂ ପିସିଆର ଗାଡ଼ିରେ ଗୋବିନ୍ଦପୁର ଟୋଲଗେଟ ପର୍ଯ୍ୟନ୍ତ ନେଇ ଥିଲେ । ସେଠାରୁ ପୁଣି ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରା ଯାଇଥିଲା । ହେଲେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଡା ବୈକୁଣ୍ଠ ନାଥ କଶ୍ୟପ ପ୍ରକାଶ କରିଛନ୍ତି ।