Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ସୁରେଶ ପୂଜାରୀଙ୍କ ପାଇଁ ବଡ଼ କଣ୍ଟା ମୂରଲୀକ୍ରୀଷ୍ଣା, ବରଗଡ଼ରେ କାହାକୁ ପ୍ରାର୍ଥୀ କରିବ ବିଜେପି ?

ବରଗଡ଼: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖା ଗଲାଣି। ବିଶେଷ କରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀତ୍ଵକୁ ନେଇ ଚର୍ଚ୍ଚା ବେଶ ସରଗରମ ଲାଗି ରହିଛି। ଏହିକ୍ରମରେ ପଶ୍ଚିମ ଓଡ଼ିଶାର ଆଉ ଏକ ଚର୍ଚ୍ଚିତ ବରଗଡ଼ ଲୋକସଭା ଆସନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେପିର ଟାଣୁଆ ନେତା ତଥା ସାଂସଦ ସୁରେଶ ପୂଜାରୀ ଦ୍ଵିତୀୟ ଥର ଏହି ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରିବା ପାଇଁ ଆଶା ରଖିଛନ୍ତି। ତେବେ ଏହି ସଂସଦୀୟ କ୍ଷେତ୍ରରେ ଆଉ କିଛି ନାମ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେଥିରୁ ଅନ୍ୟତମ ହେଉଛନ୍ତି ବିକାଶ ଗ୍ରୁପର ଅଧ୍ୟକ୍ଷ ଡି ମୂରଲୀକ୍ରିଷ୍ଣା। ସେ ବରଗଡ଼ ଓ ଝାରସୁଗୁଡ଼ାରେ ବୁଲି ବୁଲି ନୂଆଁଖାଇ ଭେଟ୍ ଘାଟ୍ ଆୟୋଜନ କରି ଜନସଂପର୍କ ରଖୁଛନ୍ତି। ଏବେ ସୁରେଶଙ୍କ ପାଇଁ ମୂରଲୀକ୍ରିଷ୍ଣା ବଡ଼ ଅଡ଼ୁଆ ସାଜି ପାରନ୍ତି।

୨୦୧୯ ନିର୍ବାଚନରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବିଜୟ ସାରା ରାଜ୍ୟରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସଂସଦୀୟ କ୍ଷେତ୍ରର ସବୁ ବିଧାୟକ ବିଜେଡିର ଥିଲେ ମଧ୍ୟ ଲୋକସଭା ସିଟକୁ ଜିତିବାରେ ସଫଳ ହୋଇଥିଲା ବିଜେପି। ଏଥିରୁ ବରଗଡ଼ ଜନତାଙ୍କ ପରିପକ୍ଵତାକୁ ସୂଚାଇଥାଏ। ତେବେ ୨୦୨୪ ନିର୍ବାଚନରେ ବିଜେପିର ପ୍ରାର୍ଥୀକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଲାଗି ରହିଛି। ସୁରେଶ ପୁଜାରୀଙ୍କୁ ଚେକ୍ ଦେଇ ପାରନ୍ତି ଡି ମୂରଲୀକ୍ରିଷ୍ଣା। ତାଙ୍କର ଗତିବିଧି ଓ ସକ୍ରିୟତା ଦେଖି ଦଳ ସୁରେଶଙ୍କ ସ୍ଥାନରେ ତାଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ମାନସିକ ଭାବେ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ମୁରଲୀକ୍ରିଷ୍ଣା ଫାଉଣ୍ଡେସନ ନାମରେ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଲୋକ ସମ୍ପର୍କ ରଖିଛନ୍ତି।

ବରଗଡ଼ର ଏହି ଲୋକସଭା ଆସନ ଅନ୍ତର୍ଗତରେ ଥିବା ବିଧାନସଭା ଗୁଡ଼ିକରେ ବିଜେଡିର ଦବଦବା ରହି ଆସିଛି। ପୁଣି ସାଂସଦ ରହି ମଧ୍ୟ ସୁରେଶ ପୂଜାରୀ ନିଜର ନିର୍ବାଚନୀ ମଣ୍ଡଳିରେ ସେତିକି ପ୍ରଭାବଶାଳୀ ହୋଇ ପାରି ନାହାନ୍ତି। ବିଜେପୁର, ବ୍ରଜରାଜନଗର, ପଦ୍ମପୁର ଓ ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେପି ସାଂସଦ ଥାଇ ମଧ୍ୟ ଦଳ ବିଧାନସଭା ପାଇଁ ଏଠାରୁ ଗୋଟିଏ ସିଟ୍ ଜିତି ପାରିଲା ନାହିଁ। ତେଣୁ ସାଂପ୍ରତିକ ସ୍ଥିତିକୁ ଦେଖି ବିଜେପି ପ୍ରାର୍ଥୀ ପରିବର୍ତ୍ତନ ସମ୍ଭାବନା ଥିବା କୁହାଯାଉଛି। ଏମିତି ସ୍ଥିତିରେ ମୂରଲୀକ୍ରିଷ୍ଣାଙ୍କ ନାମ ଚର୍ଚ୍ଚାକୁ ଆସିଛି। ଅନ୍ୟପଟେ ଏହି ସଂସଦୀୟ କ୍ଷେତ୍ରରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇ ନାହିଁ।

ଅନ୍ୟପଟେ ମୁରଲୀକ୍ରିଷ୍ଣା ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ ମଧ୍ୟ ସେ ମୂଳତଃ ଆନ୍ଧ୍ର ବାସିନ୍ଦା। ତେଣୁ ଜିଲ୍ଲାରେ ତାଙ୍କ ଗ୍ରହଣୀୟତା ନେଇ ମଧ୍ୟ ସଂଶୟ ରହିଛି। କିନ୍ତୁ ବିକାଶ ଗ୍ରୁପ ସହ ଯେତିକି ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରହିଛନ୍ତି ସେହି ଭୋଟ୍ ବ୍ୟାଙ୍କକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ। ସୁରେଶ ପୂଜାରୀଙ୍କ ପାଇଁ ଆଉ ଏକ ଅଡ଼ୁଆ ଯେ ସେ ସାଂସଦ ଥିବା ସମୟରେ ବି ସ୍ଥାନୀୟ ନିର୍ବାଚନ ଗୁଡ଼ିକରେ ତାଙ୍କ ନେତୃତ୍ଵର କରିସ୍ମା ଦେଖିବାକୁ ମିଳିନାହିଁ। ବିଜେଡି ଏଠାରୁ କାହାକୁ ଟିକେଟ୍ ଦେବ ତା ଉପରେ ମଧ୍ୟ ସଭିଙ୍କ ନଜର ରହିଛି। କଂଗ୍ରେସର ସ୍ଥିତି ନୈରାଶ୍ୟଜନକ ଥିବାରୁ ଭୋଟର ମଧ୍ୟ ଏହି ଦଳ ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏଠାରେ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବା ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ