କଳାପଥର କଲେଜରେ ‘ଯୁବ ଓଡିଶା , ନବୀନ ଓଡିଶା, ଓ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ର କଳାପଥର ସତ୍ୟବାଦୀ ଜୁନିଅର କଲେଜ ପରିସରରେ ବିପର୍ଯ୍ୟୟ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ‘ଯୁବ ଓଡିଶା ନବୀନ ଓଡ଼ିଶା’ (ନୂଆ-ଓ) ର ସାମାଜିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଓ ଏହାର ଉପକାରିତା , ବିଭିନ୍ନ ଆସନ , ପ୍ରାଣାୟାମ , ନିୟମାବଳୀ ସମ୍ବନ୍ଧରେ ପତଞ୍ଜଳୀ ଯୁବା ଭାରତ , ସୋନପୁର ର ଜିଲ୍ଲା ସଂଯୋଜକ ମନୋଜ କୁମାର ପଣ୍ଡା ପୁଙ୍ଖାନୁପୁଙ୍ଖ ଉପରେ ଆଲୋଚନା କରିଥିଲେ । ଏହା ସହିତ ଯୋଗ ମାଧ୍ୟମରେ ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ଅବସରରେ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ବୀରମହାରାଜପୁର ଅଗ୍ନିଶମ ଅଧିକାରୀ ଭରତ ଲାଲ ଏକ୍କା ବିଭିନ୍ନ ପ୍ରକାର ବିପର୍ଯୟ ବିଷୟରେ ଆଲୋଚନା କରିଥିବାବେଳେ କିପରି ସଠିକ୍ ପରିଚାଳନା କରି ଜନଜୀବନ ରକ୍ଷା କରାଯାଇ ପାରିବ ବୁଝାଇଥିଲେ । ଅଗ୍ନିଶମ କର୍ମଚାରୀ ଶତ୍ରୁଘନ କିଷାନ ଓ ସୁରେନ କୁମାର ପଧାନ୍ ବିଭିନ୍ନ ବିପର୍ଯୟ ତଥା ଅଗ୍ନିଜନିତ ବିପତ୍ତିକୁ ସୁପରିଚାଳନା କରିବାର କୈାଶଳମାନ ପ୍ରଦର୍ଶନ କରିଥିଲେ । ସାମାଜିକ କର୍ମୀ ବିଭାଗିୟ ଅଧିକାରୀ ଅଧ୍ୟାପକ କିଶୋର ସାହୁ ସଭା ପରିଚାଳନା କରିଥିବା ବେଳେ ଆଇୟୁଡିପି ନୋଡାଲ୍ ଅଫିସର୍ ଅଧ୍ୟାପିକା ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।