Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବରାଜ, ବସୁନ୍ଧରା ଓ ରମଣଙ୍କ ଭାଙ୍ଗିବ ଆଶା ! ତିନି ରାଜ୍ୟରେ ନୂତନ ଚେହେରା ଦେଇପାରେ ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି(ବିଜେପି) ଚମତ୍କାର ବିଜୟ ସହ ସରକାର ଗଢୁଛି। ତେବେ ଏହି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଦଳ ଅଦ୍ୟାବଧି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହିଁ। ପାର୍ଟି ସୂତ୍ର ଅନୁଯାୟୀ, ବିଜେପି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂତନ ଚେହେରା ବାଛିପାରେ। ଏହି ତିନି ମୁଖ୍ୟମନ୍ତ୍ରୀଙ୍କ ଚୟନ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିଆଯାଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ ସାଢେ ଚାରି ଘଣ୍ଟା ଧରି ବୈଠକ ବସିଥିଲା। ଏଥିରେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଁ ପ୍ରବଳ ଦାବିଦାର ନାଁଙ୍କ ଉପରେ ବିଚାର କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ପ୍ରମୁଖ ଜେପି ନଡ୍ଡା ସାମିଲ୍ ଥିଲେ। ବୈଠକ ପୂର୍ବରୁ ରାଜ୍ୟର ନେତାମାନଙ୍କଠୁ ମତାମତ ଲୋଡ଼ା ଯାଇ ବିଜେପି ପ୍ରଭାରୀଙ୍କ ସହ ନଡ୍ଡା ଅଲଗା ଅଲଗା ବୈଠକ କରିଥିଲେ।
ବିଜେପି କେନ୍ଦ୍ରୀୟ ନେତୃତ୍ଵ ଶୀଘ୍ର ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରି ପାରନ୍ତି। ପର୍ଯ୍ୟବେକ୍ଷକ ତିନି ରାଜ୍ୟର ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରି ତିନି ମୁଖ୍ୟମନ୍ତ୍ରୀ ଚୟନ କରିବେ।

ମଧ୍ୟପ୍ରଦେଶରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମାର ବ୍ୟତୀତ ରାଜ୍ୟର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ଅଛନ୍ତି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଅନେକ ନାମ ଉପରେ ଆଲୋଚନା ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ମଧ୍ୟ ବିଧାନସଭା ନିର୍ବାଚନ ଜିତିଛନ୍ତି। ତାଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଓ ଅର୍ଜୁନ ରାମ ମେଘଓ୍ଵାଲଙ୍କ ସହିତ ରାଜ୍ୟ ବିଜେପି ଅଧ୍ୟକ୍ଷ ସିପି ଯୋଶୀ, ଦୀୟା କୁମାରୀ ଓ ମହନ୍ତ ବାଲକନାଥ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି।

ସେହିପରି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଦାବିଦାର ମଧ୍ୟରେ ଅନ୍ୟତମ ଅଛନ୍ତି। ବିଜେପି ରାଜ୍ୟ ଅଧ୍ୟକ୍ଷ ଅରୁଣ କୁମାର ସାଓ, ବିଜେପି ବିରୋଧୀ ଦଳ ନେତା କୌଶିକ ଓ ପୂର୍ବତନ ଆଇଏଏସ ଅଧିକାରୀ ଓପି ଚୌଧୁରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ