Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଛିଣ୍ଡୁନି ଅଙ୍କ, ସେପଟେ ୨ଟି ଉପମୁଖ୍ୟମନ୍ତ୍ରୀ ଫର୍ମୁଲା ଆପଣାଇବ ବିଜେପି !

ଜୟପୁର: ରାଜସ୍ଥାନରେ ପ୍ରଚଣ୍ଡ ବହୁମତ ସହ ନିର୍ବାଚନ ଜିତିଥିଲେ ମଧ୍ୟ ବିଜେପି ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ନାଁ ଚୟନ କରି ପାରିନାହିଁ। ନିର୍ବାଚନ ଫଳାଫଳକୁ ସପ୍ତାହେ ବିତି ସାରିଥିଲେ ମଧ୍ୟ କାହାକୁ ରାଜ୍ୟର ଦାୟିତ୍ଵ ଦିଆଯିବ ସେ ନେଇ ଦଳରେ ଅଙ୍କ ଛିଣ୍ଡୁନାହିଁ। ତେବେ ସଦ୍ୟତମ ଖବର ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ରାଜନୈତିକ ଓ ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ବିଜେପି ରାଜସ୍ଥାନରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଫର୍ମୁଲା ଆପଣେଇପାରେ। ରାଜ୍ୟରେ ରାଜପୁତ, ବ୍ରାହ୍ମଣ, ମୀଣା ଓ ଜାଟ୍ ସମୁଦାୟ ବହୁଳ ଲୋକ ଅଛନ୍ତି। ଅନେକ ନେତାଙ୍କ ଏହି ସବୁ ସମୁଦାୟ ଭିତରେ ମଜବୁତ ସମ୍ବନ୍ଧ ରହିଛି।

ବିଜେପି ସଂପ୍ରତି ଏହି ରଣନୀତି ଉପରେ କାମ କରୁଛି, ଯାହା ଆଧାରରେ ସରକାରରେ ସବୁ ସମୁଦାୟର ପ୍ରତିନିଧିତ୍ଵ ରହି ପାରିବେ। ଖାସକରି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ବିଭିନ୍ନ ଦିଗ ଉପରେ ବିଚାର କରୁଛି। ତେଣୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାରେ ବିଜେପିକୁ ବିଳମ୍ବ ଘଟୁଛି। ରାଜ୍ୟର ନେତା ଦଳୀୟ ହାଇକମାଣ୍ଡ ଉପରେ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି। ଜଣେ ନେତା କହିଛନ୍ତି ଥରୁଟିଏ ମୁଖ୍ୟମନ୍ତ୍ରୀ ନାଁ ଚୂଡ଼ାନ୍ତ ହେବା ପରେ ଉପମୁଖ୍ୟମନ୍ତ୍ରୀକୁ ନେଇ ବୈଠକ ହେବ।

ବିଜେପି ହାଇକମାଣ୍ଡଙ୍କ ଉପରେ ଜାତିଗତ ଆଧାରିତ ନେତାଙ୍କ ବହୁତ ଚାପ ରହିଛି। ଏହି ସବୁ ନେତାଙ୍କ ଦାବି ଯେ, ତାଙ୍କ ନେତାଙ୍କୁ ଥରୁଟିଏ ସୁଯୋଗ ଦିଆଯାଉ। ଏହା ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଅଭିଯାନ ମଧ୍ୟ ଚଳାଯାଇଛି। ଯଦ୍ଵାରା ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଷିତ କରାଯାଇପାରିବ। ରାଜ୍ୟରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି। ବିଜେପିର ବସୁନ୍ଧରା ରାଜେ, ବାଲକ ନାଥ, ଗଜେନ୍ଦ୍ର ସିଂ ଶେଖାଓ୍ଵତ, ରାଜେନ୍ଦ୍ର ସିଂ ରାଠୋର, ଅଶ୍ଵିନୀ କୁମାର, ଦୀୟା କୁମାରୀ, ଓମ ମାଥୁର , ଓମ ବିର୍ଲା ସହିତ ଅନେକ ନେତା ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି। ବିଧାୟକ ଦଳ ବୈଠକ ପରେ କାହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହେବ ଦଳୀୟ ନେତା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ