ପ୍ରଥମ ଥର ସଂସଦରେ ଅନୁପ୍ରବେଶ, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଜଣ; ଧୂଆଁ ଛାଡିଲେ


ନୂଆଦିଲ୍ଲୀ: ସଂସଦ ଭବନ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିନ ପୁଣି ଥରେ ଗଣତନ୍ତ୍ରର ମନ୍ଦିରରେ ସୁରକ୍ଷାରେ ବଡ ଧରଣର ତ୍ରୁଟି ଘଟିଛି । ବୁଧବାର ଲୋକସଭାରେ ଗୃହକାର୍ଯ୍ୟ ସମୟରେ ଦୁଇ ଜଣ ଲୋକ ଅଚାନକ ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁ ପଡିଛନ୍ତି । କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାରୁ ଲୋକସଭା ଭିତର ଧୂଆଁମୟ ହୋଇ ଯାଇଥିଲା । ସୁରକ୍ଷାକର୍ମୀ ତୁରନ୍ତ ଆସି ଦୁଇ ବ୍ୟକ୍ତିଙ୍କୁ କାବୁ କରିଥିଲେ । ଏଥିରୁ ଜଣେ ବ୍ୟକ୍ତିଙ୍କ ନାମ ସାଗର ହୋଇଥିବା ବେଳେ ସେ ଜଣେ ସାଂସଦଙ୍କ ଲେଟରରେ ଅତିଥି ଭାବେ ଦର୍ଶକ ଗ୍ୟାଲେରୀରେ ପହଞ୍ଚିଥିଲେ । ଉଭୟଙ୍କୁ ସଂସଦ ମାର୍ଗ ଥାନା ନିଆଯାଇଛି । ସଂସଦରେ ପ୍ରଥମ ଥର ଏହି ଧରଣର ଅପ୍ରିତୀକର ଘଟଣା ଦେଖିବାକୁ ମିଳିଛି । ଆତଙ୍କବାଦୀ ଆକ୍ରମଣ ସମୟରେ ତ ସୁରକ୍ଷାବଳ ସେମାନଙ୍କୁ ବାହାରେ ଅଟକାଇ ରଖିଥିଲେ ।

ଗୋଟିଏ ପଟେ ବୁଧବାର ସଂସଦ ଭିତରେ ଦୁଇ ବ୍ୟକ୍ତି ଏମିତି କାଣ୍ଡ ଘଟାଇଥିବା ବେଳେ ବାହାରେ ଜଣେ ମହିଳା ଓ ଜଣେ ପୁରୁଷ ହଙ୍ଗାମା କରିଥିଲେ । ଏକଛତ୍ରବାଦ ଶାସନ ଚାଲିବ ନାହିଁ ବୋଲି ନାରା ଦେଇ ବିକ୍ଷୋଭ କରିଥିଲେ । ଲୋକସଭାରେ ଯେତେବେଳେ ଏହି ଘଟଣା ଘଟିଥିଲା ସେହି ସମୟରେ ବିଜେପିର ବରିଷ୍ଠ ସାଂସଦ ରାଜେନ୍ଦ୍ର ଅଗ୍ରଫ୍ୱାଲ ଚେୟାରରେ ଥିଲେ । ଏହି ସମୟରେ ଦର୍ଶକ ଗ୍ୟାଲେରୀରୁ ଦୁଇ ବ୍ୟକ୍ତି ଡେଇଁଥିଲେ । ଜଣେ ଧୂଆଁ ଛାଡୁଥିବା ବେଳେ ଅନ୍ୟ ଜଣେ ଟେବୁଲ ବାଡଉଥିଲା ।

ରାଜେନ୍ଦ୍ର ଅଗୱାଲ କହିଛନ୍ତି, ଜଣା ନାହିଁ ଏହି ଲୋକେ ନାରାବାଜି କରୁଥିଲେ କି ନାହିଁ । ଏହା ମଧ୍ୟ ସ୍ପଷ୍ଟ ଜଣା ପଡିନାହିଁ ଯେ, ଏହି ଲୋକଙ୍କ ଉଦ୍ଦେଶ୍ୟ କଣ ଥିଲା । ସୁରକ୍ଷାକର୍ମୀ ତତ୍ପରତାର ସହ ଉଭୟଙ୍କୁ କାବୁ କରିଥିଲେ । କଂଗ୍ରେସ ସାଂସଦ କୀର୍ତ୍ତି ଚିଦାମ୍ବରମ କହିଛନ୍ତି, ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ସାଂସଦଙ୍କ ସହାୟତାରେ ଏହି ଦୁଇ ବ୍ୟକ୍ତିଙ୍କୁ କାବୁ କରାଯାଇଥିଲା । ବଡ କଥା ଗୃହକାର୍ଯ୍ୟ ସମୟରେ ଦର୍ଶକ ଗ୍ୟାଲେରୀରୁ ଡେଇଁଥିବା ଦୁଇ ଲୋକଙ୍କିୁ ସାଂସଦମାନେ ସାହାସର ସହ ଘେରି ଯାଇଥିଲେ । ଉଲ୍ଲେଖନୀୟ ସଂସଦ ଭବନ ପରିସର ଭିତରର ସୁରକ୍ଷା ସିଆରପିଏଫଙ୍କ ହାତରେ ରହିଥିବା ବେଳେ ବାହାରେ ଦିଲ୍ଲୀ ପୋଲିସ ମୁତୟନ ଥାଆନ୍ତି ।