ସଂସଦ ଭବନର ସୁରକ୍ଷା ତ୍ରୁଟି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ, ଲୋକସଭାର ୮ କର୍ମଚାରୀ ସସପେଣ୍ଡ୍‌


ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଲୋକସଭା ସେକ୍ରେଟାରିଏଟ । ଗତକାଲି ଲୋକସଭାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁ ଗୃହରେ ଧୂଆଁ ଛାଡି ଆତଙ୍କ ଖେଳାଇଥିଲେ । ଦିଲ୍ଲୀ ପୋଲିସ ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ବେଆଇନ ଗତିବିଧି ଅଧିନିୟମ(ୟୁଏପିଏ) ଆଧାରରେ ମାମଲା ରୁଜୁ କରିଛି ।

ସଂସଦ ଭବନ ଉପରେ ୨୦୦୧ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତି ଦିନ ସୁରକ୍ଷାରେ ବଡ ଧରଣର ତ୍ରୁଟି ଘଟିଥିଲା । ଦୁଇ ଜଣ ଯୁବକ ଲୋକସଭାରେ ଗୃହକାର୍ଯ୍ୟ ସମୟରେ ଦର୍ଶକ ଗ୍ୟାଲେରୀରୁ ସିଧା ଗୃହ ମଧ୍ୟକୁ ଡେଇଁଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଧୂଆଁ ଛାଡିଥିବା ବେଳେ ଅନ୍ୟ ଜଣେ ମାଙ୍କଡଙ୍କ ପରି ଗୋଟିଏ ଟେବୁଲରୁ ଅନ୍ୟ ଟେବୁଲ ଡେଇଁଥିଲା । ଏହି ଦୁଇ ଯୁବକଙ୍କୁ ସାଂସଦମାନେ ଘେରି ଧୂଲେଇ କରିଥିଲେ । ଦୁଇ ଯୁବକ ହେଉଛନ୍ତି ସାଗର ଶର୍ମା ଓ ମନୋରଞ୍ଜନ ଡି । ଠିକ୍ ଏହି ସମୟରେ ଗୃହ ବାହାରେ ଅନ୍ୟ ଦୁଇ ଜଣ ଅମୋନ ସିନ୍ଦେ ଓ ନିଲମ ଦେବୀ ସଂସଦ ପରିସର ବାହାରେ ରଙ୍ଗୀନ ଧୂଆଁ ଛାଡି ନାରାବାଜି ଦେଇଥିଲେ ।

ପୋଲିସ କହିଛି, ଏହି ଘଟଣାରେ ଛଅ ଜଣ ସଂପୃକ୍ତ ଥିଲେ । ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛି । ତେବେ ଏହି ଘଟଣାରେ ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଲୋକସଭା ସେକ୍ରେଟାରିଏଟ । ଏହି ଅଭାବନୀୟ ଘଟଣାକୁ ନେଇ ରାଜନୀତି ମଧ୍ୟ ସରଗରମ ରହିଛି । ବିଜେପିର ଜଣେ ସାଂସଦଙ୍କ ପାସ୍ ଜରିଆରେ ଯୁବକ ଗୃହରେ ପ୍ରବେଶ କରିଥିବା ସଙ୍ଗୀନ ଅଭିଯୋଗ ଲଗାଇଛି କଂଗ୍ରେସ ।