ଜୟପୁର: ରାଜସ୍ଥାନକୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ । ଭଜନଲାଲ ଶର୍ମା ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ କଲରାଜ ମିଶ୍ର ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଏବଂ ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରଭାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ପାଠ କରାଇଛନ୍ତି । ରାଜଧାନୀ ଜୟପୁରର ଆଲବର୍ଟ ହଲ୍ ସାମ୍ନାରେ ଆୟୋଜିତ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ଜେପି ନଡ୍ଡା ଓ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ।
ଶପଥ ନେବା ପୂର୍ବରୁ ମୋହନଲାଲ ଜୟପୁରର ଗୋବିନ୍ଦଦେବଜୀ ମନ୍ଦିର ପହଂଚିଥିଲେ । ପତ୍ନୀ ଗୀତା ଦେବୀ ମଧ୍ୟ ତାଙ୍କ ସହ ଥିଲେ । ସବୁଠୁ ବଡ କଥା ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଆଜି ହେଉଛି ୫୬ତମ ଜନ୍ମଦିନ । ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହା ସହିତ ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରଭ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି । ଶପଥ ସମାରୋହରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ପିଏମ ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମେତ ଅନେକ ବଡ ନେତା ଯୋଗ ଦେଇଥିଲେ ।
ଉଲ୍ଲେଖନୀୟ ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ହାସଲ କରିଛି । ୧୯୯ ବିଧାନସଭା ସିଟରୁ ବିଜେପି ୧୧୫ ଜିତିଥିବା ବେଳେ କଂଗ୍ରେସ ୬୯ଟି ଆସନ ଜିତି ଦ୍ୱିତୀୟରେ ରହିଛି ।