ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ବୀରମହାରାଜପୁର କଲେଜରେ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ‘ନୂଆ ଓଡିଶା’ ଯୁବ ଓଡିଶା – ନବୀନ ଓଡିଶାର ଆର୍ଥିକ ସହଯୋଗ ରେ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି I ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥା କେନ୍ଦ୍ରର ଅଧିକାରୀ ଭରତଲାଳ ଏକ୍କା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଗ୍ନିକ ମୋତିଲାଳ ପ୍ରଧାନ ଓ ସୁଦାମ ବରିହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ପ୍ରଶମନ ପାଇଁ କଣ କରିବାକୁ ହେବ, ତାହାର ବିସ୍ତୃତ ସୂଚନା ଦେବା ସହିତ ବ୍ୟବହାରିକ ଶିକ୍ଷା ପ୍ରଦାନ କରିଥିଲେ l ଗ୍ୟାସ୍ ଟାଙ୍କିରେ ନିଆ ଲାଗିଲେ, କୌଣସି ବ୍ୟକ୍ତିଗତ ଘର କିମ୍ବା ସରକାରୀ କାର୍ଯ୍ୟାଳୟରେ ଅଗ୍ନି ସଂଯୋଗ ହେଲେ ତଥା କୌଣସି ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହେଲେ କ’ଣ କରିଯିବା ଉଚିତ୍ , ସେ ସମ୍ପର୍କରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଭାଗର ନୋଡାଲ ଅଫିସର ଡ. ହିମାଂଶୁ ଶେଖର ପାଢ଼ୀ , ଡ. ଶିଶିର ବଣିଆ , ଯାମିନି ଦାଶ ପ୍ରମୁଖ ମଞ୍ଚାସିନ ହୋଇ ବିଷୟ ଭିତ୍ତିକ ବକ୍ତବ୍ୟ ଉପସ୍ଥାପନା କରିଥିଲେ l ଅଧ୍ୟାପକ ନରେନ୍ଦ୍ର ଝା ମଞ୍ଚ ପରିଚାଳନା ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଯାମିନି ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।