ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ବାଟବଣା ସ୍ଵଚ୍ଛ ଭରତ ମିଶନ ; ଫଳକରେ ସୀମିତ ବାହ୍ୟ ମଳମୁକ୍ତ ଗାଁ


ବୀରମହାରାଜପୁର : (ସୌମିତ୍ରି ମେହେର) ସ୍ବଚ୍ଛତା ଦିଗରେ ଆଉ ଗୋଟିଏ ପାଦ ଆଗେଇ ନେବା ଲକ୍ଷ୍ୟରେ ସରକାର ସ୍ବଚ୍ଛ ଭାରତ ମିଶନ ନାଁରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପରିମଳ ବିଭାଗର ଦୂରଦୃଷ୍ଟି ଅଭାବରୁ ସ୍ବଚ୍ଛତା ମିଶନ ବାଟବଣା ହୋଇପଡିଛି । ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ନାଁରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସତ୍ତ୍ବେ ମଧ୍ୟ ବ୍ୟକ୍ତିଗତ ପାଇଖାନା ଆରମ୍ଭରୁ ଅଚଳ ହୋଇ ପଡ଼ିଛି । ଲୋକେ ଏବେବି ପୋଖରୀ ହୁଡ଼ା , ମୁଖ୍ୟ ରାସ୍ତା କଡରେ ମଳତ୍ୟାଗ କରୁଛନ୍ତି । କିନ୍ତୁ ବିଭାଗ ଦୋଷ ଲୁଚାଇବାକୁ ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଗାଁ ଲେଖି ବାଃ ବାଃ ନେଉଛି । ପାଇଖାନା ଯେଣତେଣ ପ୍ରକାରେଣ ନୀତିରେ ନିର୍ମାଣ ପରେ କବାଟରେ ହିତାଧିକାରୀ ଙ୍କ ନାଁ ଲେଖି କେବଳ ଫୋଟ କରି ଜିଓଟେଗ୍ ପରେ ବିଭାଗ ନିଜ ଦାୟିତ୍ୱ ଶେଷ କରି ଦେଇଥିବା ଅଭିଯୋଗ ହେଉଛି । ଏପରିକି ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ହିତାଧିକାରୀଙ୍କ ଘରୁ ଅନେକ ଦୂରରେ ରହିଛି ତାହା ପୁଣି ସରକାରୀ ଜମିରେ । ଅନେକ ପାଇଖାନାରେ ପାଣିର ସୁବିଧା ନାହିଁ । ଅପରପକ୍ଷରେ ଉପଖଣ୍ଡ ର ସମସ୍ତ ଗ୍ରାମ ୨୦୨୦ ରୁ ବାହ୍ୟ ‌ମଳମୁକ୍ତ ଗାଁ ଘୋଷଣା ହୋଇ ସାରିଛି । କୋଟି କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହୋଇଥିବା ପାଇଖାନା ଗୁଡ଼ିକ ବାସ୍ତବ କ୍ଷେତ୍ରରେ କେତେ କାର୍ଯ୍ୟକ୍ଷମ , କେତେ ଗାଁ ଲୋକ ବ୍ୟବହାର କରୁଛନ୍ତି ତାର ତଦାରଖ ଏ ପର୍ଯ୍ୟନ୍ତ କରାଯାଉ ନଥିବା ଦେଖାଯାଇଛି। ବିପୁଳ ଟଙ୍କା ଖର୍ଚ୍ଚ ସତ୍ବେ ମଧ୍ୟ ଫଳ ଶୂନ ରହିଥିବା ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଖର୍ଚ୍ଚ ହୋଇଥିବା ଟଙ୍କାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି ।