ଉଫୁଳା ରାଜା ବନ୍ଧ ରେ ଗାଧୋଉ ଥିବାବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ


ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଉଫୁଲା ନିକଟ ରଜାବନ୍ଧରେ ବୁଡି ଜଣେ ବିବାହିତ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉଫୁଲା ଗ୍ରାମର ଭରତ ସେଠୀ(୩୬) ବୋଲି ଜଣା ପଡିଛି । ଶନିବାର ଅପରାହ୍ନ ରେ ଯୁବକ ଜଣକ କାମ ସାରି ଘରକୁ ଆସି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେ ସେଠାରେ ଗାଧୋଉ ଥିବା ବେଳେ କୌଣସି କାରଣ ରୁ ଖସି ପଡ଼ିଥିଲେ । କିଛି ସମୟ ପରେ ଗ୍ରାମର ଅନ୍ୟ କେତେକ ବ୍ୟକ୍ତି ଗାଧୋଇବାକୁ ଆସି ପୋଖରୀ ହୁଡ଼ା ରେ ଚପଲ ଥିବା ଦେଖି ସନ୍ଦେହ କରିଥିଲେ । ଯୁବକ ଜଣକ ପାଣିରେ ଭାସୁଥିବା ଦେଖି ସେମାନେ ସ୍ଥାନୀୟ ଯୁବକଙ୍କ ସହାୟତା ରେ ବାହାରକୁ ଆଣିଥିଲେ । ଖବର ପାଇ ବ୍ଲକ ଉପାଧ୍ୟକ୍ଷ ନାରାୟନ ଲୁହା ଉକ୍ତ ଯୁବକକୁ ଗୁରୁତର ଅବସ୍ଥାରେ ନିଜ ଗାଡ଼ିରେ ବୀରମହାରାଜପୁର ଡାକ୍ତରଖାନା କୁ ଆଣିଥିଲେ ।
ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଶବ ଜବତ କରିଥିବାବେଳେ ଏନେଇ ବୀରମହାରାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ଯୁବକ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଭୂମିସୁତା ଓ ଛଅ ବର୍ଷର ଏକ ଝିଅ ଓ ତିନି ବର୍ଷର ଏକ ପୁଅ ଅଛନ୍ତି । ସେ କୁଲି ମଜୁରୀ କରି ପରିବାର ଚଳାଉଥିବାରୁ ତାଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।