ଇଣ୍ଡିଆ ମେଂଟର ବୈଠକରେ କଂଗ୍ରେସକୁ ବଡ ଝଟକା ଦେଇ ପାରନ୍ତି ମମତା, ପୂର୍ବରୁ ଚିନ୍ତା ବଢାଇ ସାରିଛନ୍ତି କେଜରିୱାଲ


ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଂଟର ସବୁଠୁ ବଡ ପାର୍ଟି କଂଗ୍ରେସକୁ ଶକ୍ତ ଝଟକା ଲାଗିପାରେ । ଗୋଟିଏ ପଟେ ଅରବିନ୍ଦ କେଜରିୱାଲ ପଞ୍ଜାବର ସମସ୍ତ ୧୩ଟି ସିଟରୁ ନିର୍ବାଚନ ଲଢିବାକୁ ଦାବି ଉପସ୍ଥାପନ କରି ସାରିଥିବା ବେଳେ ଟିଏମସି ପଶ୍ଚିମବଙ୍ଗରେ ମାତ୍ର ୨ଟି ସିଟ୍ ଛାଡିବାକୁ ପ୍ରସ୍ତୁତ । ଡିସେମ୍ବର ୧୯ ତାରିଖରେ ଇଣ୍ଡିଆ ମେଂଟର ଚତୁର୍ଥ ବୈଠକ ହେବାକୁ ଯାଉଛି । ଏଥିରେ ମମତା ବାନାର୍ଜୀ ସିଟ୍ ବଂଟା ପ୍ରସଙ୍ଗ ଉଠାଇ ପାରନ୍ତି । ଟିଏମସି ସୂତ୍ରରୁ ପ୍ରକାଶ ଯେ, ପାର୍ଟି କଂଗ୍ରେସ ପାଇଁ ମାଲଦା ଓ ବରହମପୁର ସିଟ୍ ଛାଡିବାକୁ ବୈଠକରେ ପ୍ରସ୍ତାବ ରଖିବ ।

ହେଲେ ମମତା ବାନାର୍ଜୀ ଏହାକୁ ନେଇ ବର୍ତମାନ କିଛି କହିବାକୁ ମନା କରି ଦେଇଛନ୍ତି । ସେ ଦିଲ୍ଲୀ ଅଭିମୁଖେ ବାହାରିବା ପୂର୍ବରୁ କହିଛନ୍ତି ଯେ, ମୁଁ ଏବେ ସିଟ୍ ସେୟାରିଂକୁ ନେଇ କିଛି କହି ପାରିବି ନାହିଁ । ଆପଣଙ୍କକୁ ଡିସେମ୍ବର ୧୯ ବୈଠକ ପରେ ସବୁ ଜଣା ପଡିଯିବ । ଟିଏମସି ଯେଉଁ ଦୁଇଟି ସିଟ୍ ଛାଡିବାକୁ ସଙ୍କେତ ଦେଉଛି ତାହା ହେଉଛି ଅଧୀର ରଞ୍ଜନ ଚୌଧୁରୀଙ୍କ ବରହମପୁର ସିଟ୍ । ଏହି ଆସନରୁ ଅଧୀର ରଞ୍ଜନ ୧୯୯୯ରୁ ଲଗାତାର ଜିତି ଆସୁଛନ୍ତି ।

ମାଲଦା ସିଟ ହେଉଛି କଂଗ୍ରେସର ଗଡ । ଏଠାରେ କଂଗ୍ରେସର ସାଂସଦ ଅଛନ୍ତି ଅବୁ ହାସିମ ଖାନ ଚୌଧୁରୀ । ସେ ୨୦୦୯ରୁ ଏହି ଲୋକସଭା ସିଟରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ୨୦୧୯ରେ କଂଗ୍ରେସ ଏହି ଦୁଇଟି ସିଟରେ ମଧ୍ୟ ବିଜୟ ହାସଲ କରିଥିଲା । ଏମିତିରେ ଟିଏମସି କେବଳ ଏହି ଦୁଇଟି ଆସନ କଂଗ୍ରେସକୁ ଏହା କହି ଦେଇପାରେ ଯେ, ଆପଣ ଏଠାରେ ନିର୍ବାଚନ ଜିତିଛନ୍ତି । ଅନ୍ୟ ସିଟରେ ଆମେ ମଜବୁତ ସହ ନିର୍ବାଚନ ଲଢିବୁ ଏବଂ ଆପଣ ଆମକୁ ସମର୍ଥନ କରନ୍ତୁ । ମମତା ବାନାର୍ଜୀ ପୂର୍ବରୁ ଏମିତି ସଙ୍କେତ ଦେଇଥିଲେ ଯେ, ପ୍ରତ୍ୟେକ ରାଜ୍ୟରେ ବିଜେପି ପ୍ରାର୍ଥୀକୁ କଡା ଟକ୍କର ଦେବାକୁ ହେଲେ ଆମକୁ ମିଳିତ ପ୍ରାର୍ଥୀ ଦେବା ରଣନୀତି ଉପରେ କାମ କରିବାକୁ ପଡିବ ।

ଏମିତିରେ କଂଗ୍ରେସକୁ ପଶ୍ଚିମବଙ୍ଗରେ ମାତ୍ର ଦୁଇଟି ସିଟ୍ ପ୍ରସ୍ତାବ ସ୍ୱୀକାର କରିବା ମୁସ୍କିଲ ହେବ । ଏଠାରେ କଂଗ୍ରେସ ନିଜର ସ୍ଥିତି ମଜବୁତ କରିବାକୁ ଚାହୁଁଛି । ଅନ୍ୟପଟେ ମମତା କଂଗ୍ରେସକୁ ଆଂଚଳିକ ଦଳଗୁଡିକୁ ମହତ୍ୱ ଦେବାକୁ କହି ପାରନ୍ତି । ଏପରିକି ଟିଏମସି ସୋନିଆ ଗାନ୍ଧୀଙ୍କୁ ଆଉ ଏକ ଅଫର ଦେଇ ପାରନ୍ତି । ଟିଏମସି ରାଜ୍ୟସଭା ପାଇଁ ଅଭିଷେକ ମନୁ ସିଙ୍ଘଭିଙ୍କୁ ସମର୍ଥନ ଦେବ । ଏଠାରେ ୨୦୧୮ରେ ମଧ୍ୟ ସିଙ୍ଘଭି କଂଗ୍ରେସ ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଏବେ ଦେଖିବା ବାକି ରହିଲା ଆସନ୍ତା ୧୯ ତାରିଖରେ ଇଣ୍ଡିଆ ମେଂଟରୁ କଣ ଫଳାଫଳ ଆସୁଛି ।