କଳାହାଣ୍ଡି, ୧୮/୧୨ (ଜଗନ୍ନାଥ ନାଏକ) : ଆଜି ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ଅପରାହ୍ନ ଘ ୦୩.୦୦ମି ସମୟରେ କଳାହାଣ୍ଡି ଜିଲ୍ଲାର ୨୧୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ ରାୟଗଡା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି । ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ର ଶୁଭାରମ୍ଭ କରିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସମବେତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଦେବଦର୍ଶନ ସହ ଦର୍ଶନୀୟ ତୀର୍ଥ ସ୍ଥାନ ଭ୍ରମଣ କରି ଖୁସିରେ ଜିଲ୍ଲାକୁ ଫେରନ୍ତୁ ବୋଲି ଶୁଭ କାମନା କରିଥିଲେ । ୨୧୦ ଜଣ ତୀର୍ଥଯାତ୍ରୀ ମାନଙ୍କ ପାଇଁ ୭ ଜଣ ଏସ୍କଟ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି । ଆସନ୍ତା କାଲି ୧୯.୧୨.୨୦୨୩ ଋଖ ରାୟଗଡା ରେଳ ଷ୍ଟେସନ ଠାରେ ଏକ ସ୍ଵତନ୍ତ୍ର ଟ୍ରେନ ରେ ଅନ୍ୟ ୫ ଟି ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସହ ନାସିକ ଓ ଶିରିଡ଼ିକୁ ଯାତ୍ରା କରିବେ ଏବଂ ଡିସେମ୍ବର ୨୪ତାରିଖରେ ଜିଲ୍ଲାକୁ ଫେରିବେ ।ପୂର୍ବରୁ ଏହି ଯୋଜନାରେ ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମଥୁରା,ବୃନ୍ଦାବନ,ଭେଲୋର୍,ତିରୁପତି,ଶ୍ରୀକଳାହସ୍ତୀ ଦର୍ଶନୀୟ ଧାର୍ମିକ ସ୍ଥଳ ଭ୍ରମଣ ର ସୁଯୋଗ ନେଇଛନ୍ତି।ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇ ଆର ଟି ସି ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କ ପାଇଁ ପରିବହନ ଓ ପ୍ରତ୍ୟାବର୍ତ୍ତନ ର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା , ଖାଦ୍ଯ ଆଦିର ବ୍ୟବସ୍ଥା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଡି ଆଇ ପି ଆର ଓ ମନୋଜ ବେହେରା, ଡି ଟି ଓ ଶ୍ରୀ ସୁବୋଧ କୁମାର ଛତ୍ରିଆ ଓ ଓରମାସ ଡେପୁଟି ସି ଇ ଓ ଜର୍ଜ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ।