Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ୨୪ତମ ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‌ଘାଟିତପରିବେଶ ସୁରକ୍ଷାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବ୍ରତୀ ହୁଅନ୍ତୁ

ଗୋପାଳପୁର ,୧୮/୧୨
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ପରିବେଶ ସମିତିର ମିଳିତ ଆନୁକୁଲ୍ୟରେ ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଦୁଇ-ଦିନ ଧରି ଆୟୋଜିତ ହେଉଥିବା ୨୪ତମ ଓଡିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଆଜି ଉଦ୍‌ଘାଟିତ ହୋଇଯାଇଛି I ‘ପରିବେଶୀୟ ଆହ୍ୱାନ – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା’ ଶୀର୍ଷକ ଆୟୋଜିତ ଏହି ସମ୍ମିଳନୀର ଆଭିମୁଖ୍ୟ ହେଉଛି ଯେ ବିଶ୍ୱ ସ୍ତରରେ ସମ୍ପ୍ରତି ପରିଦୃଷ୍ଟ ହେଉଥିବା ଗମ୍ଭୀର ପରିବେଶଜନିତ ସମସ୍ୟା ସବୁକୁ ପ୍ରତିହତ କରିବା ଦିଗରେ ନୂତନ ଗବେଷଣାକୁ ପ୍ରୋତ୍ସାହିତ କରିବା I ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ବିବିଧ ପ୍ରକାର ପ୍ରଦୂଷଣ, ଜଙ୍ଗଲ ହ୍ରାସ, ଜୈବବିବିଧତାର ଅବନାତି, ଓଜୋନ ସ୍ତରରେ ଅବକ୍ଷୟ ଇତ୍ୟାଦି ପରି ସମସ୍ୟା ମାନବଜାତି ସହ ସମସ୍ତ ଜୀବଜଗତର ଭବିଷ୍ୟତ ଅସ୍ତିତ୍ବ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି I ଏ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ସମ୍ଭାବନା ବହନ କରନ୍ତି I ଏହି ମନୋରମ ଗ୍ରହର ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବା ସହ ମନୁଷ୍ୟ ସୃଷ୍ଟ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଯୁବ ଗବେଷକମାନେ ପ୍ରତିବଦ୍ଧତା ପ୍ରକାଶ କରିବା ବାଞ୍ଛନୀୟ I ଆମ ରାଜ୍ୟର ବୈଜ୍ଞାନିକ ଅନୁଷ୍ଠାନ ଏବଂ ଗବେଷକମାନେ ମଧ୍ୟ ସ୍ଥାନୀୟ ପରିବେଶ ସମସ୍ୟାର ସମାଧାନ ଦିଗରେ ବ୍ରତୀ ହେବା ଆବଶ୍ୟକ ବୋଲି ଏହି ସମ୍ମିଳନୀର ଉଦ୍‌ଘାଟନ ଉତ୍ସବରେ ଯୋଗଦାନ କରି ବିଶିଷ୍ଟ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି I
କଂଗ୍ରେସ ଉଦ୍‌ଘାଟନ ଅଧିବେଶନର ମୁଖ୍ୟ ଅତିଥି ରୂପେ ଅନ୍ତର୍ଜାତୀୟ ବଙ୍ଗୋପସାଗର ପ୍ରୋଗ୍ରାମ୍, ଚେନ୍ନାଇର ନିର୍ଦେଶକ ଡ଼. ପି. କ୍ରିଷ୍ଣନ ଏବଂ ସମ୍ମାନନୀୟ ଅତିଥି ରୂପେ ନୂଆଦିଲ୍ଲୀସ୍ଥ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ ପ୍ରଫେସର ଏନ. ସି. ଗୁପ୍ତା ଯୋଗଦାନ କରିଥିଲେ I ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟର ଚାରିଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ ବିଜ୍ଞାନ କ୍ଷେତ୍ରକୁ ଜୀବନବ୍ୟାପୀ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା I ସେମାନେ ହେଲେ ଏମସ୍ ଭୁବନେଶ୍ୱରର ପୂର୍ବତନ ନିର୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର, ରାଉରକେଲା ଏନଆଟିର ପୂର୍ବତନ ନିର୍ଦେଶକ ପ୍ରଫେସର ସୁନୀଲ କୁମାର ଷଡ଼ଙ୍ଗୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପଦାର୍ଥ ବିଜ୍ଞାନ ପ୍ରଫେସର ଗୌରୀ ଶଙ୍କର ତ୍ରିପାଠୀ ଏବଂ ପୂର୍ବତନ ଉଦ୍ଭିଦ ବିଜ୍ଞାନ ପ୍ରଫେସର ମଳୟ କୁମାର ମିଶ୍ର I ଏହି ଅବସରରେ ଦୁଇଟି ପୁସ୍ତକ ଉନମୋଚନ କରାଯାଇଥିଲା। ଏହି ଅବସରରେ ବିଶ୍ୱବିଦ୍ୟାଳୟ ଏବଂ ଚେନ୍ନାଇ ସ୍ଥିତ ବଙ୍ଗୋପସାଗର ପ୍ରୋଗ୍ରାମ୍ ଅନୁଷ୍ଠାନ ମଧ୍ୟରେ ଗୋଟିଏ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା I ଏହି ସ୍ବାକ୍ଷର ବେଳେ ଚେନ୍ନାଇର ଅନୁଷ୍ଠାନର ନିର୍ଦେଶକ ଡ଼. ପି. କ୍ରିଷ୍ଣନ ଙ୍କ ସମେତ ଯୋଗ ଦେଇ ଥିବା ଅତିଥି ଗଣ ଏବଂ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,କୁଲ ସଚିବ ସଚ୍ଚିଦାନନ୍ଦ ନାୟକ, ଆଇ କିୟୁ ଏ ସି ର ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ବିଭାଗର ମୁଖ୍ୟ ଡ଼ଃ ବି. ଅଞ୍ଜନ କୁମାର ପୃଷ୍ଟି ଉପସ୍ଥିତ ଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ରସାୟନ ବିଜ୍ଞାନର ଅଧ୍ୟାପକ ଡ଼. ସତ୍ୟନାରାୟଣ ସାହୁ I ଏହି କାର୍ଯ୍ୟକ୍ରମରେ ରାଜ୍ୟର ତଥା ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନରୁ ୩୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ