ନୂଆଦିଲ୍ଲୀ: ଭାରତୀୟ ସଂସଦର ଇତିହାସରେ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ । ଲୋକସଭାରେ ପ୍ରବଳ ହଟ୍ଟଗୋଳ କାରଣରୁ ଗତକାଲି ପରି ଆଜି ମଧ୍ୟ ୪୬ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ସବୁ ସାଂସଦଙ୍କୁ ପୁରା ଶୀତକାଳୀନ ଅଧିବେଶନରୁ ସସପେଣ୍ଡ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସହ ଅଧିବେଶନରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ସଂଖ୍ୟା ବଢି ୧୩୮ରେ ପହଂଚିଛି । ଏହା ପୂର୍ବରୁ ସୋମବାର ଲୋକଭାର ୩୩ ଓ ରାଜ୍ୟସଭାର ୪୫କୁ ମିଶାଇ ମୋଟ୍ ୭୮ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଦାନିଶ ଅଲ୍ଲୀ, ପ୍ରତିଭା ସିଂ, ଦିନେଶ ଚନ୍ଦ୍ର ଯାଦବ, ଏସଟି ହସନ, ଶଶି ଥରୁର, ସୁପ୍ରିୟା ସୁଲେ, ଡିମ୍ପଲ ଯାଦବ ଓ ରବନୀତ ସିଂ ବିଟୁ ସାମିଲ ।
ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟିର ସାଂସଦ ସୁଶୀଲ କୁମାର ରିଙ୍କୁ ଓ କଂଗ୍ରେସର ମନୀଷ ତିୱାରୀ, ଚନ୍ଦ୍ରଶେଖର ପ୍ରସାଦ, ମାଲା ରୟ ଓ କାର୍ତି ଚିଦାମ୍ବରମଙ୍କୁ ମଧ୍ୟ ଗୃହରୁ ସସପେଣ୍ଡ କରାଯାଇଛି । ସାଂସଦଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନରେ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବା ସହ ନାରାବାଜି କରିଛନ୍ତି । ଜଣେ ସାଂସଦ କହିଛନ୍ତି, ସାଂସଦଙ୍କୁ ଗାଳି କରୁଥିବା ଲୋକ ସଂସଦରେ ବସିବ, ଆଉ ପ୍ରଶ୍ନ କରିବା ଲୋକଙ୍କୁ ନିଲମ୍ବନ କରାଯିବ । ଏହା କେମିତି କା ଗଣତନ୍ତ୍ର । ଏକଛତ୍ରବାଦ ବନ୍ଦ ହେବା ଉଚିତ୍ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ପୂର୍ବରୁ ଅବଗତ କରାଯାଇଥିଲା ଯେ, ନୂତନ ସଂସଦ ଭବନକୁ କେହି ମଧ୍ୟ ପ୍ଲାକାର୍ଡ ଧରି ଆସିବେ ନାହିଁ। ଏହା ପରେ ଏମିତି ଘଟଣା ଘଟୁଛି । ଗୃହରେ ହଙ୍ଗାମା କରୁଛନ୍ତି । ଫଳରେ ଏହି ସବୁ ସାଂସଦଙ୍କୁ ପୁରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି।