ଅନୁପ୍ରବେଶକାରୀଙ୍କୁ ପାସ୍ ଦେଇଥିବା ବିଜେପି ସାଂସଦଙ୍କୁ କାହିଁକି ପଚରା ଉଚୁରା କରାଯାଉନି ? ସରକାରଙ୍କୁ କଂଗ୍ରେସର ପ୍ରଶ୍ନ


ନୂଆଦିଲ୍ଲୀ: ସଂସଦ ଭବନରେ ଦୁର୍ବୃତଙ୍କ ଅନୁପ୍ରବେଶକୁ ନେଇ ସଂସଦରେ କେନ୍ଦ୍ର ସରକାରଙ୍କ ବିବୃତି ଦାବିରେ ହଟ୍ଟଗୋଳ କରୁଥିବା ବିରୋଧୀ ଦଳର ୧୪୧ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଏହାକୁ ନେଇ ବୁଧବାର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ଜୟରାମ ରମେଶ ପ୍ରଶ୍ନ କରିଛନ୍ତି ଯେ, ଦୁର୍ବୃତ୍ତଙ୍କୁ ପାସ୍ ଦେଇଥିବା ବିଜେପିର ସାଂସଦ ପ୍ରତାପ ସିହ୍ନାଙ୍କୁ ଏ ଯାଏଁ କାହିଁକି ପଚରା ଉଚୁରା କରାଯାଇ ନାହିଁ । ଲୋକସଭାରେ ବଡ ଧରଣର ସୁରକ୍ଷାରେ ଉଲ୍ଲଂଘନ ଘଟଣାକୁ ଗୋଟିଏ ସପ୍ତାହ ବିତି ସାରିଛି । ତଥାପି କେନ୍ଦ୍ର ସରକାର ଏହା ଉପରେ ଜବାବ ଦେବାକୁ ପ୍ରସ୍ତୁତ ନାହାନ୍ତି ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଲୋକସଭାର ବାଚସ୍ପତିଙ୍କ କହିବା କଥା ମାମଲାରେ ତଦନ୍ତ ହେବା ଉଚିତ୍ । ମାତ୍ର ସାତ ଦିନ ପରେ ବି ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କୁ ଥରୁଟିଏ ବି ପଚରା ଉଚୁରା କରାଯାଇ ନାହିଁ, ଯିଏ ଲୋକସଭାରେ ଦୁଇ ଦର୍ବୃତ୍ତଙ୍କୁ ପ୍ରବେଶ କରାଇବାରେ ସାହାଯ୍ୟ କରିଥିଲେ । ଏହା ବଡ ବିଚିତ୍ର କଥା ଯେ, ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନ(ୟୁଏପିଏ) ଆଧାରରେ ମାମଲା ରୁଜୁ କରାଯାଇଛି । କିନ୍ତ ପାସ୍ ଦେଇଥିବା ବିଜେପି ସାଂସଦଙ୍କୁ ଏ ଯାଏ ପଚରା ଉଚୁରା ବି କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଭାରତୀୟ ସଂସଦର ଇତିହାସରେ ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । ଲୋକସଭାରେ ପ୍ରବଳ ହଟ୍ଟଗୋଳ କାରଣରୁ ଏ ପର୍ଯ୍ୟନ୍ତ ୧୪୧ ସାଂସଦଙ୍କୁ ପୁରା ଶୀତକାଳୀନ ଅଧିବେଶନରୁ ସସପେଣ୍ଡ କରାଯାଇଛି । ଏହା ପୂର୍ବରୁ ସୋମବାର ଲୋକଭାର ୩୩ ଓ ରାଜ୍ୟସଭାର ୪୫କୁ ମିଶାଇ ମୋଟ୍ ୭୮ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଦାନିଶ ଅଲ୍ଲୀ, ପ୍ରତିଭା ସିଂ, ଦିନେଶ ଚନ୍ଦ୍ର ଯାଦବ, ଏସଟି ହସନ, ଶଶି ଥରୁର, ସୁପ୍ରିୟା ସୁଲେ, ଡିମ୍ପଲ ଯାଦବ ଓ ରବନୀତ ସିଂ ବିଟୁ ସାମିଲ ।