ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନରେ ୧୪୬ ସାଂସଦଙ୍କ ନିଲମ୍ବନ ବିରୋଧରେ ବିରୋଧୀ ମେଂଟ ଇଣ୍ଡିଆର ବରିଷ୍ଠ ନେତା ଶୁକ୍ରବାର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରଦର୍ଶନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମେଂଟର ଅନେକ ବଡ ନେତା ଉପସ୍ଥିତ ଥିଲେ ।
ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସେ ସାଂସଦମାନଙ୍କୁ ନିଲମ୍ବନ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେବେ ଭଲ ଆଇନ ଆସେ ତେବେ ଆମେ ଏହାକୁ ସମର୍ଥନ କରିଥାଉ । ମାତ୍ର ସରକାର ଯାହା କରୁଛନ୍ତି ତାହା ଠିକ୍ ନୁହେଁ । ସେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ ଟାର୍ଗେଟ୍ କରିଛନ୍ତି ।
ଖଡଗେ କହିଛନ୍ତି, ଆମ ସମ୍ବିଧାନ ଅନୁସାରେ ପ୍ରତିଟିି ବ୍ୟକ୍ତିଙ୍କୁ କହିବାର ସ୍ୱାଧୀନତା ଓ ଅଧିକାର ରହିଛି । ଏହି ସ୍ୱାଧୀନତା ଆମକୁ ଜବାହରଲାଲା ନେହେରୁ, ମହାତ୍ମା ଗାନ୍ଧୀ ଓ ଡ ଆମ୍ବେଦକରଙ୍କ ଠାରୁ ମିଳିଛି । ଏହି ବ୍ୟକ୍ତିମାନେ ହିଁ ଆମକୁ ସ୍ୱାଧୀନତା ଦେଇଛନ୍ତି । ଆପଣଙ୍କ ଘରେ ତ ସ୍ୱାଧୀନତା ଦେଇଥିବା ଜଣେ ହେଲେ ବ୍ୟକ୍ତି ନାହାନ୍ତି । ଏହି ଲୋକେ ଆମ ଉପରେ ଦେଶ ବରବାଦ କରୁଥିବା କଥା କହୁଛନ୍ତି ଏବଂ ସଂସଦରୁ ନିଲମ୍ବିତ କରୁଛନ୍ତି । ବିରୋଧୀ ସାଂସଦଙ୍କୁ ସଂସଦରୁ ବାହାର କରି ତିନୋଟି ଆଇନ ଗୃହୀତ କରାଇ ନେଲେ ।
ସେ ଏହା ମଧ୍ୟ କହିଛନ୍ତି, ଯେବେ ଆମକୁ ସଂସଦରେ ନୋଟିସ୍ ଦିଆଯାଉଛି ତାହା ପଢିବାକୁ ସୁଯୋଗ ମଧ୍ୟ ଦିଆଯାଉ ନାହିଁ । ଆମକୁ କହିବାକୁ ରୋକା ଯାଉଛି । ତେଣୁ ଆମକୁ ବର୍ତମାନ ଏକାଠି ଲଢିବାକୁ ପଡିବ । ଇଡି ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରି ବିରୋଧୀ ସଦସ୍ୟଙ୍କୁ ଡରାଉଛନ୍ତି । ଯେଉଁଠି ନିର୍ବାଚନ ହେଉଛି ସେଠାରେ ଆମ ସଦସ୍ୟଙ୍କୁ ଇଡି ଡର, ସିବିଆଇ ଡର, ଇନକମ ଟ୍ୟାକ୍ସ ଡର ଦେଖାଉଛନ୍ତି । ଏହା କଂଗ୍ରେସ ପାର୍ଟି ଡରିବାର ଦଳ ନୁହେଁ ବୋଲି ଖଡଗେ କହିଛନ୍ତି ।