ନବୀନଙ୍କ ଘୋଷଣା ଏକ ପ୍ରହସନ, ପଦ୍ମପୁରବାସୀଙ୍କ ଭାବପ୍ରବଣତା ସହ ରାଜ୍ୟ ସରକାର ଖେଳୁଛନ୍ତ- ବିଜେପି


ଭୁବନେଶ୍ୱର: ପଦ୍ମପୁରକୁ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ପ୍ରସଙ୍ଗରେ ବିଜେଡିକୁ ବିଜେପିର ସମାଲୋଚନା । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କଡା ସମାଲୋଚନା କରି କହିଛନ୍ତି, ପଦ୍ମପୁରବାସୀଙ୍କ ଭାବପ୍ରବଣତା ସହ ରାଜ୍ୟ ସରକାର ଖେଳୁଛନ୍ତି । ଦଳୀୟ ସ୍ୱାର୍ଥ ଓ ଭୋଟ୍ ପାଇଁ ନବୀନଙ୍କ ଘୋଷଣା ପ୍ରହସନରେ ପରିଣତ ହୋଇଛି । ହାଇକୋର୍ଟଙ୍କ ଅଙ୍କୁଶ ପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଂଚ ଆସିଛି । ଜିଲ୍ଲା ଉଦ୍ଦେଶ୍ୟ ଥିଲେ ଆନ୍ଧ୍ର ଭଳି ଡିଷ୍ଟ୍ରିକ୍ଟ ଫରମେସନ ଆକ୍ଟ ଆଣନ୍ତୁ । ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକି ଆଇନ ଆଣନ୍ତୁ । ବିଜେପି ସରକାରରେ ଆସିଲେ ଜିଲ୍ଲା ଗଠନକୁ ପ୍ରାଧାନ୍ୟ ଦେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପଦ୍ମପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ଚାଲିଛି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ପଦ୍ମପୁରରେ ବିିଭିନ୍ନ ସ୍ଥାନ ବୁଲି ସାରିଛନ୍ତି । ତେଣୁ ପଦ୍ମପୁର ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବାର ଆଶା ବଢି ଯାଇଛି । ସୂଚନାଯୋଗ୍ୟ, ଗତ ପଦ୍ମପୁର ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ହେବାର ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁରବାସୀଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତି ପୂରଣ କରିବା ଦିଗରେ ସରକାର ଆଉ ଏକ ପାଦେ ଆଗେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିରେ ଆରଡିସି ସମ୍ବଲପୁର ,ଜିଲ୍ଲାପାଳ ବରଗଡ଼, ଅତିରିକ୍ତ ଜିଲ୍ଲାପାଳ ବରଗଡ଼, ଉପ ଜିଲ୍ଲାପାଳ ପଦ୍ମପୁର, ସିଡ଼ିଏମ ବରଗଡ଼,ତହସିଲଦାର ପଦ୍ମପୁର, ଏନଏସି ଇଓ ଆଦି ସାମିଲ୍ ।

ତେବେ ଜିଲ୍ଲା ହେବାର ରୂପ କେବେ ନେବ ତାହା କହିବା ମୁସ୍କିଲ । କାରଣ ଘୋଷଣା କରିବା ଏବଂ କାର୍ଯ୍ୟକାରୀ କରିବାରେ ବହୁତ ଫରକ ଥାଏ । ଯଦି ପଦ୍ମପୁର ବାସ୍ତବରେ ଜିଲ୍ଲାରେ ରୂପ ନିଏ ତେବେ ରାଜ୍ୟର ଏମିତି ଅନେକ ସ୍ଥାନ ରହିଛି ଯେଉଁମାନେ ଜିଲ୍ଲା ପାଇଁ ଦାବି ଜୋରଦାର କରିବେ ଏବଂ ଏହା ବିଜେଡିକୁ ହରଡଘଣାରେ ପକାଇପାରେ । ଜିଲ୍ଲା ଘୋଷଣା କରି ଲୋକଙ୍କ ଭାବନା ରାଜ୍ୟ ସରକାର ଖେଳୁଥିବା ବିଜେପି ଅଭିଯୋଗ କରିଛି ।