ଭୁୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପାଇଁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ଡକାଇ ଏହାର ଭିଡିଓ ପ୍ରସ୍ତୁତ କରିବା ମାମଲା ଏବେ ବଡ ବିବାଦ ଭାବେ ମୁଣ୍ଡ ଟେକିଛି । ଗୋ ମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କିଭଳି ଭାବେ ମହାପ୍ରସାଦ ଖୁଆଇ ଏହାର ପ୍ରଚାର କରିବାକୁ ବିଜୁ ଜନତା ଦଳ ଏବଂ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ନିୟୋଜିତ କଲେ ତାକୁ ନେଇ ବଡ ପ୍ରଶ୍ନ ଉଠିଛି । ଜଗନ୍ନାଥ ପ୍ରେମୀ ଓ ସନାତନ ଧର୍ମର ଭାବାବେଗକୁ ବିଜେଡି ଓ ପାଣ୍ଡିଆନ କୁଠାରଘାତ କରିଥିବା ବିଜେପି ଅଭିଯୋଗ କରିଛି । ଏବେ ଏହି ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ବିଜେଡିକୁ ସମାଲୋଚନା କରିଛି । କାମିଆ ଜାନି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି ।
ସେ କହିଛନ୍ତି, କାହା ନିର୍ଦ୍ଦେଶରେ କାମିଆ ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ ପାଣ୍ଡିଆନ । ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ଭକ୍ତଙ୍କ ଭାବାବେଗ ବିଜେଡି ଖେଳୁଥିବା ଶରତ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ବିଜୟ ପଟ୍ଟନାୟକ କହିଛନ୍ତି, ଆଗାମୀ ଦିନରେ ଦଳ ଏହି ପ୍ରସଙ୍ଗରେ ପଦକ୍ଷେପ ନେବ । ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ନବୀନ ଡାକିଥିଲେ କି ? ମହା ପ୍ରସାଦ ପ୍ରଚାର ପାଇଁ କଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡିଲା ବୋଲି ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡିଆ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଏ ସରକାର ଖେଳୁଛି । ତେଣୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ନଚେତ୍ କଂଗ୍ରେସ ଚରମ ପଦକ୍ଷେପ ନେବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୧୭ରେ ପୁରୀ ଶ୍ରୀମନ୍ଦିରର ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନଠୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହା ମଧ୍ୟରେ ବିବାଦୀୟ ଘଟଣା ସାମ୍ନାକୁ ଆସିଛି । ଆଉ ଏହି ବିବାଦକୁ ଖୋଦ୍ ଆମନ୍ତ୍ରଣ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଓ ବିଜୁ ଜନତା ଦଳ ।
ଅନ୍ୟପଟେ ବିଜେପି କହିଛି ଏମିତି ଜଣେ ବ୍ୟକ୍ତିଙ୍କୁ କିଭଳି ଭାବେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବାକୁ ସୁଯୋଗ ଦିଆଗଲା ଯିଏ ଗୋ ମାଂସ ଖାଇ ହିନ୍ଦୁ ଓ ସନାତନ ଧର୍ମର ଘୋର ଅପମାନ କରୁଛି । ଯାହାର ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ଐତିହ୍ୟ ବିଷୟରେ ଜଣା ନାହିଁ ତାଙ୍କୁ କିଭଳି ପୁରୀ ଡକାଇ ମହାପ୍ରସାଦ ଖୁଆଇ ଏହାର ପ୍ରମୋସନ କରାଯାଉଛି ଏହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଓଡିଶାବାସୀଙ୍କ ମଧ୍ୟରେ ଉଗବେଗ ପ୍ରକାଶ ପାଇବା ସହ ଭିକେ ପାଣ୍ଡିଆନଙ୍କ ନିନ୍ଦା କରିଛନ୍ତି । ଏମିତି ନିନ୍ଦନୀୟ କାମକୁ ବରଦାସ୍ତ କରାଯାଇ ପାରିବ ନାହିଁ ଜନସାଧାରଣ ମତ ପ୍ରକାଶ ପାଇଛି । ଆଉ କାମିଅ।।ଙ୍କୁ ପୁରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପ୍ରମୋସନ ପାଇଁ ଆଣିବା ବିଜେଡି ଓ ପାଣ୍ଡିଆନଙ୍କୁ ମହଙ୍ଗା ପଡିଥିବା କୁହାଯାଉଛି ।