ପୁଣି ଥରେ ଧନଖଡଙ୍କ ମିମିକ୍ରି କଲେ ଟିଏମସି ସାଂସଦ, କହିଲେ- ଥରେ ନୁହେଁ ହଜାରେ ଥର କରିବି, ଏହା ମୋର ମୌଳିକ ଅଧିକାର


ନୂଆଦିଲ୍ଲୀ: ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଯିଏ ସଂସଦ ଭବନ ପରିସରରେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନକଲ କରି ବିବାଦ ସୃଷ୍ଟି କରିଥିଲେ, ସେ ପୁଣି ଥରେ ଧନଖଡଙ୍କ ନକଲ କରିଛନ୍ତି । ଏହି କାମକୁ ଏକ କଳା ବୋଲି ଦର୍ଶାଇ କହିଛନ୍ତି ଯେ, ସେ ଆଗକୁ ମଧ୍ୟ ଧନଖଡଙ୍କ ନକଲ କରିବା ଜାରି ରଖିବେ । ବାନାର୍ଜୀ କହିଛନ୍ତି, ସେ ଥରୁଟିଏ ନୁହେଁ ହଜାରେ ଥର ଏମିତି କରିବେ । ଏମିତି କରିବା ତାଙ୍କର ମୌଳିକ ଅଧିକାର । ଉଲ୍ଲେଖନୀୟ ବାନାର୍ଜୀ ସଂସଦ ପରିସରରେ ଅନେକ ବିରୋଧୀ ସାଂସଦଙ୍କ ସାମ୍ନାରେ ଧନଖଡଙ୍କ ନକଲ କରିଥିଲେ । ଆଉ ଏହାକୁ ରାହୁଲ ଗାନ୍ଧୀ ନିଜ ମୋବାଇଲରେ ସୁଟ୍ କରିଥିଲେ । ଏହି ଘଟଣାକୁ ନେଇ ବହୁତ ହଙ୍ଗାମା ଓ ବିବାଦ ସୃଷ୍ଟି ହୋଇଥିଲା ।

ଋବିବାର ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ନିଜର ବୟାନରେ କହିଛନ୍ତି ଯେ, ମୁଁ ମିମିକ୍ରି କରିବା ଜାରି ରଖିବି । ପ୍ରଥମରୁ କହି ଆସିଛି ଏହା ଏକ କଳା । ଯଦି ଆବଶ୍ୟକ ପଡେ ତେବେ ମୁଁ ଏହାକୁ ହଜାରେ ଥର କରିବି । ମୋ ପାଖରେ ନିଜ ବିଚାର ବ୍ୟକ୍ତ କରିବାର ମୌଳିକ ଅଧିକାର ରହିଛି । ଆପଣ ମୋତେ ଜେଲରେ ଭର୍ତି କରି ପାରନ୍ତି, ମାତ୍ର ମୁଁ ଏଥିରୁ ପଛକୁ ହଟିବି ନାହିଁ ।

ଋବିବାର ପଶ୍ଚିମବଙ୍ଗର ଶ୍ରୀରାମପୁରରେ ଏକ କାର୍ଯ୍ୟକ୍ରମରେ ଟିଏମସି ସାଂସଦ କହିଛନ୍ତି, ଏହା ଏକ ଛୋଟ ପ୍ରସଙ୍ଗ ଧନଖଡକୁ ହଇରାଣ କରିଦେଲା । ଏହି ଘଟଣାରେ ଧନଖଡ କହିଥିଲେ ଯେ, ସଂସଦ ତଥା ଉପରାଷ୍ଟ୍ରପତି ପଦର ଅପମାନକୁ ସେ ବରଦାସ୍ତ କରି ପାରିବେ ନାହିଁ । ଏହାକୁ ନେଇ ସେ ବିରୋଦୀ ଦଳର ନେତାଙ୍କ ସମାଲୋଚନା କରିଥିଲେ ।