Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଲେ  ଅପରାଜିତା, କହିଲେ – ସୁରକ୍ଷାରେ ବି ପାତରଅନ୍ତର କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ଯେତିକି ନିର୍ବାଚନ ପାଖେଇ ଆସୁଛି ରାଜନୈତିକ  ଉଷ୍ଣତା ବଢିବାରେ ଲାଗିଛି। ସବୁଠୁ ଅଧିକ ରାଜନୀତି ଭୁବନେଶ୍ଵର ଲୋକସଭା ଆସନକ ନେଇ ହେଉଛି। ଏଠାରେ ସାଂସଦ ଥିବା ଭାରତୀୟ ଜନତା ପାର୍ଟି ନେତ୍ରୀ ଅପରାଜିତ ଷଡ଼ଙ୍ଗୀକୁ ବିଜେଡି ଆଗାମୀ ଲୋକସଭା ନିର୍ବାଚନରେ ମାତ୍ ଦେବାକ ରଣନୀତି ପ୍ରସ୍ତୁତି କରୁଛି। ତେବେ ବିଜେଡି ପକ୍ଷରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯିବା ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲକ୍ଷ୍ମୀସାଗର ୪୩ନଂ ୱାର୍ଡରେ ମୋତେ କିଛି ଅସାମାଜିକ ଲୋକଙ୍କ ଦ୍ବାରା ୨ ଘଣ୍ଟା ଅଟକ ରଖାଯାଇଥିଲା ବୋଲି ଅପରାଜିତ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି, ଏକ ସଭାକୁ ଯାଉଥିବା ବେଳେ ମୋ କାର୍‌ ଅଟକାଇଥିଲେ । ପୋଲିସକୁ ଅପେକ୍ଷା କରି କାର୍‌ରେ ୨ ଘଣ୍ଟା ବସି ରହିଥିଲେ ହେଁ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ନଥିଲା। ଏହା ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି । ନଷ୍ଟ ହୋଇଥିବା ମୋ ସମୟର କିଭଳି ଭରଣା କରିବେ ସରକାର ? ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡକୁ ୫ ମିନିଟ୍‌ ପାଇଁ ଅଟକାଇ ହେବ କି ? ସୁରକ୍ଷାକୁ ନେଇ ସରକାରଙ୍କ ଏଭଳି ପାତରଅନ୍ତର ମୋତେ ଆଘାତ ଦେଇଛି ବୋଲି ଅପରାଜିତ ଷଡ଼ଙ୍ଗୀ କହିଛନ୍ତି। ରାଜ୍ୟ ସରକାର ସବୁ ଦେଖିକି ନ ଦେଖିଲା ପରି ଅଭିନୟ କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ଭୁବନେଶ୍ଵର ଲୋକସଭା ସିଟ୍ ହାତେଇବାକୁ ବିଜେଡି ଏବେଠୁ ପ୍ରୟାସ ଆରମ୍ଭ କରିଲାଣି। ଦଳ ଅପରାଜିତାଙ୍କୁ ଟକ୍କର ଦେବା ପରି ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ସେହି ମହିଳା ପ୍ରାର୍ଥୀ ହେଉଛନ୍ତି ଶ୍ରୀମୟୀ ମିଶ୍ର । ଏମିତି ହେଲେ ବିଜେପି ଓ ବିଜେଡି ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିବ । ଶ୍ରୀମୟୀଙ୍କୁ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପର୍ଯ୍ୟବେକ୍ଷକ କରିବା ପରେ ଅପରାଜିତା ବନାମ ଶ୍ରୀମୟୀ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଗତ କିଛି ଦିନ ହେବ ବିଜେଡି ନେତାମାନେ ମଧ୍ୟ ଖୋଲାଖୋଲି ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ କହିବା ଆରମ୍ଭ କରି ଦେଲେଣି ।

ଶ୍ରୀମୟୀ ଲୋକସଭା ସଂପର୍କ ଅଭିଯାନକୁ ଜୋରଦାର କଲେଣି । ସେ ଭୁବନେଶ୍ୱର ଲୋକସଭା ଆସନର ବିଭିନ୍ନ ନିର୍ବାଚନମଣ୍ଡଳୀ ଯାଇ ଲୋକଙ୍କ ଭେଟୁଛନ୍ତି । ଅନ୍ୟପଟେ ଅପରାଜିତା ମଧ୍ୟ ତୃଣମୂଳସ୍ତରରେ ନିରନ୍ତର ଭାବେ ଜନତାଙ୍କ ସହ ରହି ଆସିଛନ୍ତି । ସେ ସର୍ବଦା ସଂସଦ ହେଉ କି ରାଜ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ୟାକୁ ନେଇ ସ୍ୱର ଉତୋଳନ କରି ଆସିଛନ୍ତି । ରାଜ୍ୟ ସରକାରଙ୍କୁ ତୀର୍ଯ୍ୟକ ବାକ୍ୟରେ ସମାଲୋଚନା କରିବାରେ ଅପରାଜିତ ଷଡଙ୍ଗୀ ଆଗରେ ରହିଛନ୍ତି । ସେ ବିଜେଡି ସରକାରଙ୍କୁ ଅଡୁଆରେ ପକାଇ ଆସିଛନ୍ତି । ତେଣୁ ବିଜେଡି ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରି ଅପରାଜିତାଙ୍କୁ ଚେକ୍ ଦେବାକୁ ବ୍ଲୁ ପ୍ରୁଂଟ ପ୍ରସ୍ତୁତ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ