ସତ୍ୟମ ଆଶ୍ରମରେ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ


ଝାରସୁଗୁଡା ୨୮/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଓ ଛତିଶଗଡ଼ ରାୟଗଡ଼ ଜିଲ୍ଲା ମଧ୍ୟ ସ୍ଥଳ କେଲୋନଦୀ କୂଳରେ ଅବସ୍ଥିତ ଓଡ଼ିଆ ତପୋଭୂମି ସତ୍ୟମ ଆଶ୍ରମ । ଉକ୍ତ ଆଶ୍ରମ ପରିସରରେ ସ୍ୱାମୀ ଶିବାନନ୍ଦଙ୍କ ପଟ୍ଟ ଶିଷ୍ୟ ବ୍ରହ୍ମଲୀନ ବ୍ରହ୍ମାବଧୂତ ପରମହଂସ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଓଡ଼ିଶା ଉତ୍କଳ ସମ୍ମିଳନୀର ସଭାପତି ଡ.ଅଦ୍ବେତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାମୀ ଜୀ ଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ପୂଜନ ପରେ ଓଡ଼ିଶା ଉତ୍କଳ ସମ୍ମିଳନୀର ସଭାପତି ଶ୍ରୀ ପାତ୍ରଙ୍କ ସହିତ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର ଓ କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ମଧୁବାବୁ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଭୁବନେଶ୍ୱର ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଓଡ଼ିଆ ରାମାୟଣ ସୁନ୍ଦରା କାଣ୍ଡ ପାଠ କରିବା ସହ ପୁସ୍ତକ ବିତରଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛତିଶଗଡ଼ ସରିଆ ନଗର ପଞ୍ଚାୟତ ସ୍ବେଛାସେବୀ ତ୍ରିଲୋକ ସ୍ଵର୍ଣ୍ଣକାର, ଛତିଶଗଡ଼ ସରକାରଙ୍କ ସ୍ୱାସ୍ଥ୍ୟ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ.ପି.ଚୌଧୁରୀଙ୍କ ପ୍ରତିନିଧି ତଥା କୁଳତା ସମାଜ ରାୟଗଡ଼ ସଂଭାଗୀୟ ସଭାପତି ରଥୁଲାଲ ଗୁପ୍ତା ନିମନ୍ତ୍ରୀତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ।
ଅନ୍ତିମ ପର୍ଯ୍ୟାୟରେ ଛତିଶଗଡ଼ ତରଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗୀତ ଗାୟନ କରିବା ସହିତ ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ତରଡା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁମତି ପ୍ରଧାନ ଏବଂ ସମାଜସେବୀ ସୁବାଷ ପ୍ରଧାନଙ୍କ ମାର୍ଗ ଦର୍ଶନରେ ପରିଚାଳିତ ହୋଇଥିଲା । ଏଥିରେ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ମୋଟ ୧୪୩ ଟି ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ସତ୍ୟମ ଆଶ୍ରମ ପକ୍ଷରୁ ସମସ୍ତଙ୍କ ପାଇଁ ଭୁରି ଭୋଜନର ବ୍ୟବସ୍ଥା କରା ଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଭୋଇ, ପୁଷ୍ପାଞ୍ଜଳି ସାହୁ, ଲିଲିମା ପ୍ରଧାନ, ସାଏବାନୀ ପଧାନ, ସଶ୍ମିତା ଗୁପ୍ତା, ବ୍ୟୁଟି ନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଆଶ୍ରମର ସଂସ୍ଥାପକ କ୍ଷମାସାଗର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।