ନିଜେ ସତର୍କ ରୁହନ୍ତୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ : ଜିଲ୍ଲା ସଡକ ସୁରକ୍ଷା ସମ୍ମିଳନୀରେ ଜିଲ୍ଲାପାଳଙ୍କ ବାର୍ତ୍ତା


କଳାହାଣ୍ଡି, ୩୦/୧୨ (ଜଗନ୍ନାଥ ନାଏକ) : ଆଜି ଜିଲ୍ଲାପାଳ କଳାହାଣ୍ଡି ଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣା ସାମନ୍ତରାୟ ବୈଠକ ବିଷୟରେ ସୂଚନା ଦେଇ କହିଥିଲେ ଯେ ଗତ ମାସ ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି 16 ଜଣ ଲୋକଙ୍କ ପ୍ରାଣହାନୀ ହୋଇଛି । ଜିଲ୍ଲାପାଳ ମହୋଦୟା ଦୁର୍ଘଟଣାର କାରଣ ଓ ନିରାକରଣ ନିମନ୍ତେ ବିଭିନ୍ନ ଅଧିକାରୀନ୍ନ୍କ ସହ ଆଲୋଚନା କରିଥିଲେ । ଉକ୍ତ ଦୁର୍ଘଟଣାର ନିରାକରଣ ନିମନ୍ତେ ସ୍ଥାନୀୟ ପୋଲିସ ଓ ପରିବହନ ପ୍ରଶାସନକୁ ଅଧିକ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ଆଇନ ଖିଲାପ ମାନକ ବିରୁଦ୍ଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆସନ୍ତା 01.01.2024 ରୁ 07.01.2024 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ପାଳନ ହେବ । ଏହି ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ରେ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେ ନିର୍ଦେଶ ଦେଇଥିଲେ । ଏହି ସପ୍ତାହରେ ହେଲମେଟ ଓ ସିଟ୍ ବେଲ୍ଟ ପିନ୍ଧି ନ ଥିବା ବ୍ୟକ୍ତି , ମଦ୍ୟପାନ କରି ଗାଡ଼ି ଚାଳକ , ଦ୍ରୁତ ବେଗରେ ଚଲାଉଥିବା ବ୍ୟକ୍ତିମାନଙ୍କ ଧରପଗଡ କରି କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଥିଲେ । ଏହିସବୁ ଆଇନ ଉଲ୍ଲଘଂନ ଯୋଗୁଁ ନଭେମ୍ବର ମାସରେ ଜିଲ୍ଲାରେ ପରିବହନ ବିଭାଗ ଦ୍ଵାରା ୧୬୩ ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି।ପୋଲିସ ପ୍ରଶାସନ ଅବକାରୀ ବିଭାଗ , ଶିକ୍ଷା ବିଭାଗ , ରାସ୍ତା ଓ କୋଠାବାଡି ବିଭାଗ ଜାତୀୟ ରାଜପଥ ବିଭାଗ ଆଦି ସଂସ୍ଥା ମାନେ ଏହି ସଡକ ସୁରକ୍ଷା ସପ୍ତାହରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କ ଅବଗତ କରାଇଥିଲେ । ଓଡିଶା ସଡକ ପରିବହନ ନିଗମ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ମାଗଣା ଚକ୍ଷୁ ପରୀକ୍ଷା କରିବା ପାଇଁ ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ବେହେରା ପ୍ରସ୍ତାବ ଦେଇଥିଲେ ।
ଶେଷରେ ଜିଲ୍ଲାପାଳ , କଳାହାଣ୍ଡି ଜିଲ୍ଲାରେ କିପରି ଦୁର୍ଘଟଣା ହ୍ରାସ ପାଇବା ସେ ବିଷୟରେ ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ । ଆଗାମୀ 01.01.2024 ତାରିଖ ଠାରୁ 07.01.2024 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ସୁଚାରୁରୂପେ ପାଳନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସଡକ ସୁରକ୍ଷା ହେଉଛି ପରିବାରର ରକ୍ଷା ;ତେଣୁ ସମସ୍ତେ ସଡକ ସୁରକ୍ଷା ନିମନ୍ତେ ସଚେତନ ହେବା ଆଗାମୀ ଦିନର ଆହ୍ଵାନ ଅଟେ । ବୈଠକରେ କମିଟି ସଦସ୍ୟ ଭାବେ ଶିକ୍ଷା,ସ୍ବାସ୍ଥ୍ୟ,ଜାତୀୟ ରାଜପଥ,ଅବକାରୀ,ପୌର, ବିଜ୍ଞାପିତଅଞ୍ଚଳ,ରାସ୍ତା ଓ ଗୃହନିର୍ମାଣ,ପୋଲିସ, ସୁଚନା ଓ ଲୋକ ସମ୍ପର୍କ, ଓ ଏସ ଆର୍ ଟି ସି ବିଭାଗୀୟ ଅଧିକାରୀ, ସଦସ୍ୟ ସାମ୍ବାଦିକ ଶାନ୍ତାନୁ ବେହେରା,ବସ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ,ଅଟୋ ଚାଳକ ସଂଘ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।