Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୀମାନ୍ତ ନକାଡେରା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ

ଝାରସୁଗୁଡା ୬/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଓ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ସୀମାନ୍ତ ନକାଡେରା ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟାକରି ଗାଁ ନିକଟରେ ଥିବା ନାଲା ପାଖରେ ଫିଙ୍ଗି ଦେଇ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଜୁଳୁମବାହାଲ ଗ୍ରାମ ପଞ୍ଚାୟତ ନକାଡେରା ଗ୍ରାମର କଇଁଠୁ ମଲ୍ଲିକଙ୍କ ପୁଅ ମିଲନ (୩୧) ବୋଲି ହେମଗିରି ପୁଲିସ ସୂତ୍ରରୁ ପ୍ରକାଶ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୁରୁବାର ରାତିରେ ନକାଡେରା ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛ ମୂଳେ ନିଆଁ ଜାଳି ମିଳନ ଓ ତାଙ୍କ ସହିତ ଗାଁର ଆଉ ଦୁଇଜଣ ସାଙ୍ଗ ଏକାଠି ବସି ଗପସପ ହେଉଥିବା ଲୋକେ ଦେଖିଥିଲେ । କିନ୍ତୁ ଆଜି ସକାଳ ପ୍ରାୟ ସାଢ଼େ ଆଠଟା ରେ ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଯିବା ସମୟରେ ସେହି ମହୁଲ ଗଛ ମୂଳରେ ରକ୍ତ ଓ ରକ୍ତ ଲାଗିଥିବା ଏକ ବାଉଁଶ ବାଡ଼ି ପଡିଥିବା ଦେଖି ଗ୍ରାମବାସୀଙ୍କୁ କହିଥିଲେ । ନକାଡେରା ଗ୍ରାମର ଲୋକେ ଆସି ଦେଖିଲା ବେଳକୁ କାହାକୁ ଘୋଷାଡି ଘୋଷାଡି ନିଆ ଯାଇଥିବା ଚିହ୍ନ ଓ ବିଭିନ୍ନ ସ୍ଥାନରେ ପଡ଼ିଥିବା ରକ୍ତ ଛିଟାକୁ ଅନୁସରଣ କରି ପ୍ରାୟ ୩ ମିଟର ଦୂରରେ ଥିବା ସନ୍ତୋଷ ପଧାନ ଙ୍କ ଆଡ଼କଠା ଡୁଲି (ଚାଷ ଜମି) ହିଡରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିଲା । ପାଖକୁ ଯାଇ ଦେଖିଲା ବେଳକୁ ଗ୍ରାମର ମିଳନ ବୋଲି ଚିହ୍ନି ପାରିଥିଲେ । ତାଙ୍କୁ ହତ୍ୟା କରି ଏଠାରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରି ହେମଗିରି ପୁଲିସକୁ ସୂଚନା ଦେଇଥିଲେ । ହେମଗିରି ଥାନା ଦାୟିତ୍ୱରେ ଥିବା ଏସଆଇ ମହେନ୍ଦ୍ର ସାହୁ ସଦଳବଳେ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପଚାରି ବୁଝିଥିଲେ ଏବଂ ସୁନ୍ଦରଗଡ ସଦର ଏସଡିପିଓ ହିମାଂଶୁ ଭୂଷଣ ବେହେରା ଙ୍କୁ ଅବଗତ କରାଇବା ପରେ ଜିଲ୍ଲା ସାଇଣ୍ଟିଫିକ ଟିମ ସହ ସେ ନିଜେ ଘଟଣା ସ୍ଥଳରେ ପହଞ୍ଚି ସର ଜମିନ ତଦନ୍ତ କରିଥିଲେ ଏବଂ ରକ୍ତଭିଜା ମାଟି ,ବାଉଁଶ ବାଡ଼ି ଆଦି ନମୁନା ସଂଗ୍ରହ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ଏବଂ ମିଳନକୁ ହତ୍ୟା କରିବା ପରେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଛନ୍ତି । କିନ୍ତୁ ମୃତ ମିଳନ ଙ୍କ ବାପାଙ୍କ ଲିଖିତ ଅଭିଯୋଗ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ଏବଂ ବହୁତ ଶୀଘ୍ର ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ହେମଗିରି ପୁଲିସ ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ