Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଖାପାଟଣା ନାବାଳିକା ଗଣବଳାତ୍କାର ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି : ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

କଳାହାଣ୍ଡି,୦୬/୦୧-ପଡୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କଳାହାଣ୍ଡି ଜିଲ୍ଲା ନର୍ଲା ଥାନାଂଚଳର ଜଣେ ନାବାଳିକାଙ୍କ ପ୍ରତି ଘଟିଯାଇଥିବା ପାଶବିକ ଓ ବର୍ବରୋଚିତ କାଣ୍ଡ ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛି ଓଡିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ । ଫେଡେରେସନର କାର୍ଯ୍ୟକାରୀ ଋଷିସୂଦନ ଛତ୍ରପାଲ, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ, ଯୋଜନା ଓ ସମ୍ମନ୍ୱୟ କମିଟି ସଂଯୋଜକ ବିଭୀଷଣ ନାଏକ, ନଗର ସଭାପତି ପୃଥ୍ୱୀରାଜ ଛତ୍ରିଆ, ନଗର ସାଧାରଣ ସଂପାଦକ ବିନୋଦ ନାଏକ, ଉପଦେଷ୍ଟା ଯୋଗେଶ୍ୱର ସାଗର, ରଜନୀକାନ୍ତ ସମର୍ଲିଆ, କାର୍ଯ୍ୟକାରୀ କମିଟି ସଭ୍ୟ ସୁଶୀଲ କୁମାର ବାଗ ପ୍ରମୁଖ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ବିଶାଖାପାଟଣା ଘଟଣାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହିତ ମହିଳା ନିର୍ଯାତନା ଓ ବଳାତ୍କାର ଉପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଦାବି ଅନୁଯାୟୀ, ରାଜ୍ୟରେ ଦାଦନ ସମସ୍ୟା ରୋକିବାକୁ ସଠିକ୍ ପଦକ୍ଷେପ ସହିତ ମନରେଗା କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଠିକ୍ ସମୟରେ ପାରିଶ୍ରମିକ ପ୍ରଦାନ କରିବାର ସୁନିଶ୍ଚିତ କରିବା, ଦାଦନ ଖଟିବାକୁ ଯାଉଥିବା ପରିବାରଗୁଡିକୁ ପଂଚାୟତ ସ୍ତରରେ ଚିହ୍ନଟ କରି ମନରେଗା ଯୋଜନା ଓ ଅନ୍ୟ ଯୋଜନାରେ କାମ ଯୋଗାଇ ଦିଆଯିବା ଓ ପ୍ରତିମାସରେ ଏହାର ସମୀକ୍ଷା କରାଯିବା ଭଳି ଦାବି ରହିଛି । ସେହିପରି ରାଜ୍ୟରୁ ସ୍ଥାନାନ୍ତରଣ ହେଉଥିବା ମହିଳା ବିଶେଷ କରି ନାବାଳିକା ଓ ଯୁବତୀମାନଙ୍କ ତଥ୍ୟ ସଂଗ୍ରହ ସହିତ ଏକ ଡାଟାବେସ୍ ସଂଗ୍ରହ କରାଯିବା, ରାଜ୍ୟ ବାହାରେ କାର୍ଯ୍ୟ କରୁଥିଲେ ସେମାନଙ୍କ କାର୍ଯ୍ୟ ସ୍ଥଳରେ ସୁରକ୍ଷା ସୁନିଶ୍ଚିତ କରାଯିବା, ଏଥିପାଇଁ ଏକ ହେଲ୍ପ ଲାଇନ ଜାରି କରାଯିବା ନେଇ ଫେଡେରେସନ ଦାବି କରିଛି । ଏପରିକି ରାଜ୍ୟରେ ମହିଳାମାନଙ୍କ ଉପରେ ବିଶେଷ କରି ଆଦିବାସୀ ଓ ଅନୁସୂଚିତ ଜାତିର ମହିଳାମାନଙ୍କ ନିର୍ଯାତନା କ୍ଷେତ୍ରରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅନେକତ୍ର ପୁଲିସର ଦୁର୍ବଳ ତଦନ୍ତ ଓ ହାଲକା ଚାର୍ଜସିଟ୍ ଦାଖଲ ଯୋଗୁଁ ଅପରାଧୀ ଖସିଯାଉଥିବାର ନଜିର ଥିବାରୁ ଏଥିପାଇଁ ପୁଲିସ ବିଭାଗକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା, ରାଜ୍ୟର ବିଭିନ୍ନ ଥାନାଗୁଡିକରେ ମହିଳା ପୁଲିସଙ୍କ ସଂଖ୍ୟା ବହୁତ୍ କମ୍ ଥିବାରୁ ଥାନା ଗୁଡ଼ିକରେ ମହିଳା ପୁଲିସ ନିଯୁକ୍ତି ସହିତ ଆବଶ୍ୟକସ୍ଥଳେ ମହିଳା ଥାନା ସଂଖ୍ୟା ବୃଦ୍ଧି କରାଯିବା ଆଦି ଦାବି କରାଯାଇଛି । ସେହିପରି କମ୍ ବୟସର ନାବାଳିକାମାନଙ୍କୁ ଶାରୀରିକ ଶୋଷଣ ଓ ବଳାତ୍କାର କ୍ଷେତ୍ରରେ ପୋକସୋ ଆଇନକୁ କଡ଼ାକଡ଼ି ଲାଗୁ କରାଯିବା ଆଦି ଦାବି ସଂପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ । ଏହି ଦାବିଗୁଡ଼ିକ ପ୍ରତି ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଲେ ଓଡ଼ିଶାରେ ମହିଳା ନିର୍ଯାତନା ଓ ଶୋଷଣ ତଥା ବଳାତ୍କାର ଭଳି ସଙ୍ଗୀନ ଅପରାଧ ହ୍ରାସ ପାଇବ ବୋଲି ଫେଡେରେସନ ତରଫରୁ ଦର୍ଶାଯାଇଛି । ସୂଚନାଯୋଗ୍ୟ, ନିଜ ପରିବାର ସହିତ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲା ନର୍ଲା ଥାନାଂଚଳର ଜଣେ ନାବାଳିକା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବର ୧୭ରୁ ୨୨ ତାରିଖ ମଧ୍ୟରେ ତାଙ୍କର ପୁରୁଷ ବନ୍ଧୁ, ତାଙ୍କର ଜଣେ ସାଙ୍ଗ ଏବଂ ଆହୁରି ୧୧ଜଣ ଫଟୋଗ୍ରାଫର ତାଙ୍କୁ ଗଣବଳାତ୍କାର କରିଥିବା ଭଳି ଲଜ୍ଜାଜନକ ଘଟଣା ସମଗ୍ର ଆନ୍ଧ୍ରପ୍ରଦେଶରେ ହଇଚଇ ସୃଷ୍ଟି କରିଛି । ଏହି ମାମଲାରେ ଆନ୍ଧ୍ରପ୍ରଦେଶ ପୁଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଇ ମାମଲାରେ ଦୁଇଜଣ ଫେରାର ଅଛନ୍ତିି । ରାଜ୍ୟ ସରକାର ଏହି ମାମଲାରେ ହସ୍ତକ୍ଷେପ କରିବା ସହିତ ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ପାଇଁ ଆନ୍ଧ୍ରପ୍ରଦେଶ ସରକାରକୁ ଅନୁରୋଧ କରିବାକୁ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଦାବି କରିଛି ।