ନୂଆଦିଲ୍ଲୀ: ବାଂଲାଦେଶରେ ନିର୍ବାଚନ ସଂପନ୍ନ ହୋଇ ସାରିଛି । କ୍ଷମତାସୀନ ଆବାମ ଲିଗର ବିପୁଳ ବିଜୟ ସହ ଶେଖ ହସିନା ଲଗାତାର ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଦମଦାର ବିଜୟ ପରେ ଶେଖ ହସିନା ଭାରତ ସହିତ ଘନିଷ୍ଠ ସମ୍ବନ୍ଧକୁ ମନେ ପକାଇଛନ୍ତି । ସେ ଭାରତକୁ ସବୁଠୁ ବିଶ୍ୱସ୍ତ ବନ୍ଧୁ ଦର୍ଶାଇଛନ୍ତି । ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡ. ଏକେ ଅବଦୁଲ ମୋମନ ଏହା ମଧ୍ୟରେ ଭାରତକୁ ଭରସା ଦେଇଛନ୍ତି ଯେ, ତାଙ୍କ ଦେଶ ଚୀନର ଚାଲରେ କେବେ ବି ଫସିବ ନାହିଁ କି ମୁଣ୍ଡ ନୁଆଁଇବ ନାହିଁ ।
ଇଣ୍ଡିଆ ଟୁଡେକୁ ଦେଇଥିବା ଇଂଟରଭ୍ୟୁରେ ମୋମନ କହିଛନ୍ତି, ବାଂଲାଦେଶରେ ଗଣତନ୍ତ୍ର ବହୁତ ସ୍ଥିର ରହିଛି । ଆପଣ ନିର୍ବାଚନ ଦେଖିଛନ୍ତି । ୧୨ କୋଟି ଲୋକ ମତଦାନ ଦେଇଛନ୍ତି । ଏହା ଏକ ବାସ୍ତବ ଓ ପ୍ରତିଯୋଗିତାମୂଳକ ନିର୍ବାଚନ ଥିଲା । ବାଂଲାଦେଶରେ ଗଣତନ୍ତ୍ର କାମ କରୁଛି । ଆମେ ସ୍ୱତନ୍ତ୍ର, ନିରପେକ୍ଷ, ପାରଦର୍ଶୀ ଓ ବିଶ୍ୱସନୀୟ ନିର୍ବାଚନ କରାଇ ଉଦାହରଣ ସୃଷ୍ଟି କରିଛୁ ।
ବାଂଲାଦେଶ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ସହ ଆମର ସଂପର୍କ ପୂର୍ବରୁ ମଜବୁତ ରହିଛି । ଆମ ଦେଶର ଜନ୍ମ ସମୟରେ ଏବଂ ସ୍ୱାଧୀନତା ଦେବାରେ ଭାରତର ଅବଦାନକୁ ଭୁଲି ହେବନି । ଆମ ସ୍ୱାଧୀନତା ପାଇଁ ଭାରତ ନିଜର ରକ୍ତ ଦେଇଛି । ନିକଟ ବର୍ଷରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ଉତମ ତାଳମେଳ ଓ ସମ୍ବନ୍ଧ ବିକଶିତ ହୋଇଛି । ପିଏମ ମୋଦୀ ଦୁଇ ଦେଶର ଏହି ସଂପର୍କକୁ ସ୍ୱର୍ଣ୍ଣିମ ଇତିହାସ ଦର୍ଶାଇଛନ୍ତି ଏବଂ ଆମେ ଏହା ଉପରେ ଆଗକୁ ବଢିବାକୁ ଚାହୁଁଛୁ ।
ସେ କହିଛନ୍ତି, ବାଂଲାଦେଶରେ ଚୀନର ଅଧିକ ପ୍ରଭାବ ନାହିଁ । ଚୀନ ଆମ ଦେଶର ବିକାଶରେ ଏକ ଭାଗିଦାରୀ ମାତ୍ର । ସେମାନେ ଆମର କିଛି ପ୍ରକଳ୍ପରେ ସାହାଯ୍ୟ କରୁଛନ୍ତି । ଏଠାରେ ସେମାନେ ଏକ ଠିକାଦାର ହିସାବରେ କାମ କରୁଛନ୍ତି । ଆମେ ଚୀନଠୁ ବହୁତ କମ ଲୋନ ନେଇଛୁ । ଯାହା ଆମ ଦେଶ ଉପରେ ପ୍ରଭାବ ପକାଇ ପାରିବ ନାହିଁ । ତେଣୁ ଆମେ ଚୀନ ଆଗରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନି ବୋଲି ବାଂଲାଦେଶ ବୈଦେଶିକ ମନ୍ତ୍ରୀ କହିଛନ୍ତି ।