ଆମ କଥା ଆମ ବ୍ୟଥା: ରାସ୍ତା ନଥିବା ଗାଁର ନାମ ସୁନାମୁଦି


ସମ୍ବଲପୁର(କୁଲୁଣ୍ଡି):ମୂଳରୁ ଗାଁକୁ ରାସ୍ତା ନାହିଁ କିନ୍ତୁ ନୂତନ ଭାବେ ତିଆରି ହେଉଥିବା ରାସ୍ତା ଉପରେ ପୋଲ ନିର୍ମାଣକୁ ନେଇ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ ।
ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତର ସୁନାମୁଦି ଗ୍ରାମକୁ କୌଣସି ଆଡୁ ରାସ୍ତା ନାହିଁ । ବଳାରମାରୁ ସୁନାମୁଦି ଗାଁକୁ ରାସ୍ତା ଉଷାକୋଠି ପାହାଡ ଓ ସଂରକ୍ଷିତ ଜଙ୍ଗଳ ପ୍ରତିବନ୍ଧକ ହୋଇସାଜିଥିବା ବେଳେ ଏକ ଅବାଞ୍ଚିତ ସ୍ଥାନରେ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ଯୟରେ ନିର୍ମାଣଧିନ ବ୍ରିଜକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି । ଅନ୍ୟପକ୍ଷରେ ଫଟାମୁଣ୍ଡାରୁ ସୁନାମୁଦିକୁ ରେକର୍ଡ ଜମି ଓ ମାଳତି ଯୋର ଅନ୍ୟ ଏକ ପ୍ରତିବନ୍ଧକ ହୋଇଥିଲେବି ଏ ଗାଁ ପ୍ରତି କାହାର ନଜର ପଡୁନି । ଗ୍ରାମବାସୀଙ୍କ ସରଳତାର ସୁଯୋଗ ନେଇ ବିକାଶ ନାମରେ ଏହି ଅଞ୍ଚଳରେ ବ୍ୟାପକ ହରିଲୁଟ ଚାଲିଥିଲେବି ପ୍ରଶାସନିକ ନଜର ଏଠି ପଡୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି। ଜମନକିରା ବ୍ଲକରୁ ୫୫ କିମି ଓ ନିଜ କୁଲୁଣ୍ଡି ପଞ୍ଚାୟତରୁ ଏହା ପ୍ରାୟ ୩୦ କିମି ଦୂର ରେ ରହୁଥିବା ଯୋଗୁଁ ପଞ୍ଚାୟତ କିମ୍ବା ବ୍ଲକ ଅଧିକାରୀଙ୍କ ସୁନାମୁଦିରେ ପାଦ ପଡୁନଥିବା ଗ୍ରାମାସୀ କହୁଛନ୍ତି । ସୁନାମୁଦି ମଳମୁକ୍ତ ଗ୍ରାମ ବୋଲି ସରକାରୀ ନଥିପତ୍ର ରେ ରହିଛି ହେଲେ ଗୋଟିଏବି ଏଠାରେ ପାଇଖାନା ନାହିଁ । ପୁଣି ସମସ୍ତଙ୍କ ମାଟି ଘର ହୋଇଥିବା ବେଳେ ଏଠାରେ ପକ୍କା ଘର ସାତସପନ ସାଜିଛି । ବିକାଶ ଠାରୁ ବହୁ ଦୂରରେ ଥିବା ସୁନାମୁଦିକୁ ନଦେଖିଲେ କେହି ବିଶ୍ୱାସ କରିବେନି ।