ମୁଣ୍ଡ ଉପରେ ମରଣଯନ୍ତା: ଜମନକିରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିପର୍ଯ୍ୟସ୍ତ, ପାଲ ତଳେ ସରକାରୀ ବହି-ଦସ୍ତାବିଜ; ଜମି ଚିହ୍ନଟ ପରେ ନୂତନ ଗୃହ ନିର୍ମାଣ ହେବ ବୋଲି କହିଲେ ଡିଇଓ
ଜମନକିରା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ରୂପରେଖ ବଦଳାଇବା ଓ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପ୍ରଶାସନିକ ଉଦାସୀନତାର ଏକ ଚିନ୍ତାଜନକ ଓ ସଙ୍ଗୀନ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ଜମନକିରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟରୁ। ୧୯୮୪ ମସିହାରେ ପ୍ରତିଷ୍ଠିତ ଏହି କାର୍ଯ୍ୟାଳୟ କୋଠା ଏବେ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଛି। କେତେବେଳେ ଯେ କୋଠାର ଛାତ ଭୁଶୁଡ଼ି ପଡ଼ିବ, ତାର କୌଣସି ଠିକଣା ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଏହି ଗୋଟିଏ କାର୍ଯ୍ୟାଳୟ ଉପରେ ବ୍ଲକର ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ସିଧାସଳଖ ନିର୍ଭର କରନ୍ତି। ଏହି ବିପଦପୂର୍ଣ୍ଣ କୋଠା ଭିତରେ ବ୍ଲକ ଶିକ୍ଷା ଅଧିକାରୀ (BEO), ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ABEO), ବ୍ଲକ ସମ୍ବଳ କେନ୍ଦ୍ର ସଂଯୋଜକ (BRCC), ପ୍ରାୟ ୨୧ ଜଣ କ୍ଲଷ୍ଟର ସମ୍ବଳ କେନ୍ଦ୍ର ସଂଯୋଜକ (CRCC) ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ମାତ୍ର ଅଫିସର ଏପରି ସଙ୍ଗୀନ ସ୍ଥିତି ଯୋଗୁଁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପ୍ରତିଦିନ ଆତଙ୍କିତ ଓ ଭୟଭୀତ ଅବସ୍ଥାରେ କାମ କରିବାକୁ ବାଧ୍ୟ ହେଉଛନ୍ତି।
କାର୍ଯ୍ୟାଳୟର ଏହି ବିକଳ ଓ ଭୟାନକ ରୂପକୁ ନେଇ ସ୍ୱୟଂ ବ୍ଲକ ଶିକ୍ଷା ଅଧିକାରୀ (BEO) ରୁକ୍ମଣା ପ୍ରଧାନ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ABEO) ଦେବକୀ ନାୟକ ନିଜେ କାର୍ଯ୍ୟାଳୟର ବିଭିନ୍ନ କୋଠରୀ ବୁଲି ଦେଖାଇବା ସହ କୋଠାର ଜର୍ଜରିତ ସ୍ଥିତି ସମ୍ପର୍କରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଛାତରୁ ଚୂନ-ସିମେଣ୍ଟ ଖସି କଳଙ୍କି ଲାଗିଥିବା ଲୁହା ରଡ୍ ବାହାରକୁ ବାହାରି ପଡ଼ିଥିବା ବେଳେ କାନ୍ଥସବୁ ଫାଟି ଆଁ କରିଛି। କେବଳ ସେତିକି ନୁହେଁ, ଛାତରୁ ପାଣି ଗଳିବା ଏବଂ କଂକ୍ରିଟ ଖଣ୍ଡ ଖସିବାରୁ ସୁରକ୍ଷା ପାଇଁ କୋଠରୀ ଭିତରେ ତାରପୋଲିନ (ପାଲ) ଟଙ୍ଗାଯାଇଛି। କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶହ ଶହ ପାଠ୍ୟପୁସ୍ତକ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ ନଥିପତ୍ରକୁ ରକ୍ଷା କରିବା ପାଇଁ ପାଲ ଘୋଡ଼ାଇ ରଖାଯାଇଛି, ଯାହା ଶିକ୍ଷା ବିଭାଗର ଦୁର୍ଦ୍ଦଶାକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଲକ୍ଷ୍ମଣ ଭୋଇଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଛନ୍ତି ଯେ, କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ପାଇଁ ତହସିଲଦାରଙ୍କୁ ପତ୍ର ଲେଖାଯାଇଛି। ଉପଯୁକ୍ତ ଜାଗା ଚିହ୍ନଟ ହେବା ମାତ୍ରେ ସେଠାରେ ଖୁବ୍ ଶୀଘ୍ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।
ତେବେ ନୂତନ ଗୃହ ନିର୍ମାଣ ହେବା ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିବା ଆଶଙ୍କା ଥିବାରୁ, ତୁରନ୍ତ ଏହି କାର୍ଯ୍ୟାଳୟକୁ ଏକ ସୁରକ୍ଷିତ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ତଥା କର୍ମଚାରୀ ମହଲରୁ ଦୃଢ଼ ଦାବି ହେଉଛି।

