କିଏ ହେବ ସଂଯୋଜକ, କାହାକୁ ମିଳିବ କେତେ ସିଟ୍‌; ଇଣ୍ଡିଆ ମେଂଟର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ


ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ରଥକୁ ରୋକିବା ପାଇଁ ଇଣ୍ଡିଆ ମେଂଟର ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବାକୁ ଯାଉଛି । ଏହା ଭର୍ଚୁଆଲ ବୈଠକ ହେବ । ଏଥିରେ ମେଂଟକୁ ମଜବୁତ କରିବା, ସିଟ୍ ଆବଂଟନ ଉପରେ ରଣନୀତି ଓ ମେଂଟର ସଂଯୋଜକ ଚୟନକୁ ନେଇ ଆଲୋଚନା ହେବ । ତେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୈଠକରେ ଯୋଗ ଦେବେ ନାହିଁ । କୁହାଯାଉଛି ସେ ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସୂତ୍ର ଅନୁଯାୟୀ, ଆଜି ବୈଠକରେ ମେଂଟରେ ସଂଯୋଜକ ନିଯୁକ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଜେଡିୟୁ ନେତା ନୀତିଶ କୁମାର ସଂଯୋଜକ ହେବାକୁ ଚାହୁଁଥିବା ବେଳେ ଟିଏମସି ଏହାର ବିରୋଧ କରୁଛି । ଏହା ପୂର୍ବରୁ ଇଣ୍ଡିଆ ମେଂଟରେ ଥିବା ଦଳଗୁଡିକର ଭର୍ଚୁଆଲ ମିଟିଂ ହୋଇଥଲା। ଏଥିରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ଆଜିର ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଉ ନ ଥିବାରୁ ମେଂଟରେ ମତଭେଦ ଲାଗି ରହିଥିବା କୁହାଯାଉଛି ।

ଆଜି ବୈଠକ ପୂର୍ବାହ୍ନ ୧୧ଟା ୩୦ରେ ଭର୍ଚୁଆଲ ବୈଠକ ବସିବ । ଏଥିରେ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରାଯିବ । ବିଶେଷ କରି ସିଟ୍ ଆବଂଟନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଏହା ଉପରେ ଦେଶର ଜନତାଙ୍କ ନଜର ମଧ୍ୟ ରହିବ । ଉଲ୍ଲେଖନୀୟ ମେଂଟର ପ୍ରଥମ ବୈଠକ ପାଟନାରେ ୨୦୨୩ ଜୁନ ୨୩ ତାରିଖରେ ବସିଥିଲା । ଦ୍ୱିତୀୟ ବୈଠକ ବେଙ୍ଗାଲୁରୁରେ ସେହି ବର୍ଷ ଜୁଲାଇ ୧୭ ଓ ୧୮ ତାରିଖରେ ହୋଇଥିଲା । ତୃତୀୟ ବୈଠକ ମୁମ୍ବାଇରେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ବସିଥିଲା । ପୁଣି ଚତୁର୍ଥ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ମିଟିଂରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ସିଟ୍ ଆବଂଟନକୁ ନେଇ ଦଳଗୁଡିକ ମଧ୍ୟରେ ମତଭେଦ ଲାଗି ରହିଛି ।