Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲଙ୍କ ବିରୋଧରେ ଦାୟର ଯାଚିକା ସୁପ୍ରିମକୋର୍ଟରେ ଖାରଜ, ଆବେଦନକାରୀଙ୍କ ଉପରେ ଲାଗିଲା ୧ ଲକ୍ଷ ଜରିମାନା

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା କାଏମ ରହିବା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି। ମୋଦୀ ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ମାମଲାରେ ସୁରଟ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ତେବେ ଗତ ବର୍ଷ ଅଗଷ୍ଟରେ ନିମ୍ନ ଅଦାଲତଙ୍କ ନିଷ୍ପତି ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ, ଆଉ ରାହୁଲ ପୁଣି ଥରେ ନିଜର ସଦସ୍ୟତା ଫେରି ପାଇଥିଲେ ।

ତେବେ ତାଙ୍କର ସଦସ୍ୟତାକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ସୁପ୍ରିମକୋର୍ଟ ଆଜି ଅଗ୍ରାହ୍ୟ କରିଛନ୍ତି । ଏହା ସହିତ ପିଟିସନକୁ ଆଧାରହୀନ କହି ଆବେଦନକାରୀ ଅଶୋକ ପାଣ୍ଡେଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ପୂର୍ବରୁ ପାଣ୍ଡେଙ୍କ ଉପରେ ଲାକ୍ଷାଦ୍ୱୀପର ସାଂସଦ ମହମ୍ମଦ ଫୈଜଲଙ୍କ ସଦସ୍ୟତା ଫେରି ପାଇବା ମାମଲାରେ ଏକ ଲକ୍ଷ ଟଙ୍କା ଜରିମାନା ଲାଗିଥିଲା । ପାଣ୍ଡେଙ୍କ କହିବା କଥା ଯେ ପର୍ଯ୍ୟନ୍ତ କୌଣସି ଉପର ଅଦାଲତ ଦ୍ୱାରା ନିର୍ଦ୍ଦୋଷ ସାବ୍ୟସ୍ତ ନ ହୋଇଛନ୍ତି ସେ ଯାଏ ରାହୁଲଙ୍କୁ ସଦନକୁ ଆସିବା ଅନୁଚିତ୍ ।

ଉଲ୍ଲେଖନୀୟ ଅଗଷ୍ଟ ୪ ତାରିଖରେ ସୁରଟର ଅଦାଲତ ନିଷ୍ପତି ଉପରେ ସୁ୍‌ପ୍ରିମକୋର୍ଟ ରୋକ୍ ଲଗାଇଥିଲେ । ସୁରଟ ଅଦାଲତ ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ଏହା ପରେ ରାହୁଲ ଲୋକସଭା ସଦସ୍ୟତା ହରାଇଥିଲେ । ଏହାକୁ ରାହୁଲ ଗୁଜରାଟ ହାଇକୋର୍ଟ ଏବଂ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗୁଜରାଟ ହାଇକୋର୍ଟରେ ରାହୁଲଙ୍କୁ କୌଣସି ଆଶ୍ୱସ୍ତି ମିଳି ନ ଥିଲେ ହେଁ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ରୋକ୍ ଲଗାଇଥିଲେ । ଫଳରେ ରାହୁଲ ନିଜର ସଦସ୍ୟତା ଫେରି ପାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ