ସାଂସଦ ପଦ ପରେ ମହୁଆଙ୍କ ହାତରୁ ଖସିଲା ସରକାରୀ ବଙ୍ଗଳା


ନୂଆଦିଲ୍ଲୀ: ସାଂସଦ ପଦ ହରାଇବା ପରେ ତୃଣମୂଳ କଂଗ୍ରେସ(ଟିଏମସି)ର ନେତା ମହୁଆ ମୋଇତ୍ରା ନିଜର ସରକାରୀ ବଙ୍ଗଳା ହରାଇଛନ୍ତି । ଶୁକ୍ରବାର ଟେଲିଗ୍ରାଫ ଲେନ ଉପରେ ତାଙ୍କର ସରକାରୀ ବଙ୍ଗଳାକୁ ଖାଲି କରାଯାଇଛି । ମହୁଆ ମୋଇତ୍ରାଙ୍କ ଓକିଲ ଶାଦାନ ଫରାସତ କହିଛନ୍ତି, ଟିଏମସିର ପୂର୍ବତନ ସାଂସଦଙ୍କ ସରକାରୀ ବଙ୍ଗଳା ଖାଲି କରାଯାଇଛି ।

ଶୁକ୍ରବାର ସକାଳ ୧୦ଟାରେ ମୋଇତ୍ରାଙ୍କ ବଙ୍ଗଳା ୯ବିକୁ ଅଧିକାରୀଙ୍କ ପହଂଚିବା ପୂର୍ବରୁ ଖାଲି କରାଯାଇଛି । ବଙ୍ଗଳାର ଚାବି ସଂପଦ ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଲୋକସଭାରୁ ବହିଷ୍କୃତ ସଦସ୍ୟ ମହୁଆ ମୋଇତ୍ରାଙ୍କୁ ୨୦୨୪ ଜାନୁଆରୀ ୧୮ରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିଲା । ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମୋଇତ୍ରା । ତେବେ କୋର୍ଟ ମୋଇତ୍ରାଙ୍କ ଆବେଦନ ଅଗ୍ରାହ୍ୟ କରିଥିଲେ।

କୋର୍ଟ କହିଥିଲେ, ଆବେଦନକାରୀଙ୍କୁ ବଙ୍ଗଳା ଖାଲି କରିବା ଆଦେଶ ବିରୋଧରେ ଚ୍ୟାଲେଞ୍ଜ କରିବାର ଅଧିକାର ନାହିଁ । ତେଣୁ ମହୁଆଙ୍କ ଆବେଦନ ଖାରଜ କରାଯାଇଛି । ଏବେ ହାତରୁ ବଙ୍ଗଳା ଖସିବା ଟିଏମସିର ବରିଷ୍ଠ ନେତ୍ରୀଙ୍କୁ ବଡ ଝଟକା ଲାଗିଛି । ମୋହୁଆ ଅନୁରୋଧ କରିଥିଲେ ସେ ଏକାକୀ ମହିଳା ତେଣୁ ତାଙ୍କୁ ସରକାରୀ ବଙ୍ଗଳାରୁ ବାହାର ନ କରାଯାଉ ।