ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରପ୍ପା ମୋଇଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କିଛି ଏମିତି ଟିପ୍ପଣୀ କରିଛନ୍ତି, ଯାହାକୁ ନେଇ ବିବାଦ ଦେଖା ଦେଇଛି । ମୋଇଲି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ପିଏମ ମୋଦୀ ରଖିଥିବା ୧୧ ଦିନିଆ ଉପବାସ ଉପରେ ସନ୍ଦେହ ପ୍ରକାଶ କରିବା ସହ ପ୍ରଶ୍ନ ଉଠାଇଛନ୍ତି । ମୋତେ ସନ୍ଦେହ ଯେ, କଣ ସତରେ ପିଏମ ମୋଦୀ ବ୍ରତ ରଖିଥିଲେ ? କଂଗ୍ରେସ ନେତାଙ୍କ ଏମିତି ବୟାନରେ ବିଜେପି ଆକ୍ରମଣାତ୍ମକ ହୋଇ ଉଠିଛି ।
ବୀରପ୍ପା କହିଛନ୍ତି, ଜଣେ ଡାକ୍ତରଙ୍କ ସହ ପ୍ରାତଃ ଭ୍ରମଣ ସମୟରେ ଡାକ୍ତର ଜଣଙ୍କ କହିଲେ ଯେ, ୧୧ ଦିନ ପର୍ଯ୍ୟନ୍ତ କେବଳ ଜଣେ ନଡିଆ ପାଣି ପିଇ ଜୀବିତ ରହିବା ଅସମ୍ଭବ । ଯଦି ପିଏମ ମୋଦୀ ଜୀବିତ ତେବେ ଏହା ବହୁତ ବଡ ଚମତ୍କାର । ଏହା ପରେ ବିଜେପିର ରାଜ୍ୟସଭା ସାଂସଦ ଲାହର ସିଂ ସିରୋୟା କଂଗ୍ରେସ ନେତାଙ୍କ ଏପରି ଟିପ୍ପଣୀର ସମାଲୋଚନା କରି କହିଛନ୍ତି, ପ୍ରତ୍ୟେକ ଲୋକ ବୀରପ୍ପା ମୋଇଲିଙ୍କ ପରି ନକଲି ନୁହନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ ପରିବାରକୁ ଛାଡି ଦେଲେ ଭଗବାନ ରାମଙ୍କ ଉପରେ ଆସ୍ଥା ରଖୁଥିବା ଲୋକେ ଜୀବିତ ରହି ପାରିବେ ।
ସିରୋୟା କହିଛନ୍ତି, ଯଦି ଆପଣଙ୍କୁ ରାମରେ ଶ୍ରଦ୍ଧା ରହିଛି, ତେବେ ଆପଣ ଉପବାସ କରି ପାରିବେ ଓ ଜୀବିତ ମଧ୍ୟ ରହି ପାରିବେ । ଯଦି ଆପଣ ଗାନ୍ଧୀ ପରିବାରକୁ ଖୁସି କରୁଛନ୍ତି, ତେବେ ଏମିତି କରି ପାରିବେ ନାହିଁ । ପରିବାରକୁ ଖୁସି କଲେ ମଧ୍ୟ ମୋଇଲିଙ୍କୁ କଂଗ୍ରେସ ଟିକେଟ୍ ଦେବ ନାହିଁ ।
ସୂଚନାଯୋଗ୍ୟ, ମୋଇଲି ପିଏମ ମୋଦୀଙ୍କ ଉପବାସ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ପିଏମ ମୋଦୀ ବିନା ବ୍ରତରେ ରାମ ମନ୍ଦିରର ଗର୍ଭଗୃହରେ ପୂଜା କରିଛନ୍ତି ତେବେ ସେ ସ୍ଥାନ ଅଶୁଦ୍ଧ ହୋଇଯାଏ । ସେଠାରେ ଅଲୌକିକି ଶକ୍ତି ଉତ୍ପନ ହୁଏ ନାହିଁ । ଜଣେ ୧୧ ଦିନ ପର୍ଯ୍ୟନ୍ତ କେବଳ ନଡିଆ ପାଣି ପିଇ କେମିତି ଜୀବିତ ରହି ପାରିବ । ପିଏମଙ୍କ ଚେହେରାରେ ତିଳେ ହେଲେ ହେଁ ଥକ୍କାପଣ ଦେଖିବାକୁ ମିଳି ନ ଥିଲା । ମୁଁ କେବଳ ନୁହେଁ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ବାସ୍ତବରେ କଣ ପିଏମ ବ୍ରତ ରଖିଛନ୍ତି କି ନାହିଁ ?