ଇଣ୍ଡିଆ ମେଂଟକୁ ଜୋରଦାର ଝଟକା, ମମତାଙ୍କ ଘୋଷଣା- ପଶ୍ଚିମବଙ୍ଗରେ ଏକାକୀ ଲଢିବୁ ନିର୍ବାଚନ


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଇଣ୍ଡିଆ ମେଂଟକୁ ଜୋରଦାର ଝଟକା ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଲମ୍ବା ଟଣା ଓଟରା ପରେ ଶେଷରେ ଘୋଷଣା କରିଛନ୍ତି ଯେ, ଟିଏମସି ଲୋକସଭା ନିର୍ବାଚନ ଏକାକୀ ଲଢିବ । ତାଙ୍କ ପକ୍ଷରୁ କଂଗ୍ରେସକୁ ମାତ୍ର ୨ଟି ସିଟ୍ ଅଫର କରାଯାଉଥିଲା, ଯାହାକୁ ନେଇ କଂଗ୍ରେସ ଖୁସି ନ ଥିଲା । ଶେଷରେ ମମତା ବାନାର୍ଜୀ କଂଗ୍ରେସ ଓ ବାମଦଳ ପ୍ରତି ଅସନ୍ତୋଷ ପ୍ରକାଶ କରି ନିଜ ବାଟ ଧରିଛନ୍ତି । ଏହିପରି ପଶ୍ଚିମବଙ୍ଗ ପ୍ରଥମ ରାଜ୍ୟ ଭାବେ ଇଣ୍ଡିଆ ମେଂଟରେ ନିଜ ରାସ୍ତା ଧରିଛି ।

ମମତା ବାନାର୍ଜୀ କହିଛନ୍ତି, ତାଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଗଲା ଏଥିପାଇଁ ସେ ଏକାକୀ ନିର୍ବାଚନ ଲଢିବାକୁ ନିର୍ଣ୍ଣୟ ନେଇଛନ୍ତି । ଟିଏମସି ପଶ୍ଚିମବଙ୍ଗରେ କାହା ସହ କୌଣସି ସମନ୍ୱୟ ରଖିବ ନାହିଁ । ତାଙ୍କ ଦଳକୁ ପଶ୍ଚିମବଙ୍ଗରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର କୌଣସି ସୂଚନା ଦିଆଯାଇ ନାହିଁ । ନା କଂଗ୍ରେସ ଏହି ବିଷୟରେ କୌଣସି ଆଲୋଚନା କରିଛି । ମମତାଙ୍କ ପକ୍ଷରୁ ଯେଉଁ ସବୁ ପ୍ରସ୍ତାବ ଦିଆଗଲା ସବୁ ଅଗ୍ରାହ୍ୟ କରି ଦିଆଗଲା । ଏବେ ଟିଏମସି ନିଜ ଦମରେ ଏକାକୀ ଲୋକସଭା ନିର୍ବାଚନ ଲଢିବ । ପଶ୍ଚିମବଙ୍ଗରେ କଂଗ୍ରେସ ସହ କୌଣସି ନେଣଦେଣ ନାହିଁ ।

ମମତା କହିଛନ୍ତି, କଂଗ୍ରେସ ସହ ମୋର କୌଣସି ଆଲୋଚନା ହୋଇ ନାହିଁ । ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ ଯେ, ଦେଶରେ କଣ ହେବ । ମାତ୍ର ପଶ୍ଚିମବଙ୍ଗରେ ଆମେ ଏକ ଧର୍ମନିରପେକ୍ଷ ପାର୍ଟି । ଆମେ ଏକାକୀ ବିଜେପିକୁ ଧରାଶାୟୀ କରି ପାରିବୁ । ମୁଁ ଏବେ ମଧ୍ୟ ଇଂଡିଆ ମେଂଟର ସଦସ୍ୟ । ବିଡମ୍ବନରା ବିଷୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିଷୟରେ ଆମକୁ କିଛି ଅବଗତ କରାଗଲା ନାହିଁ ।