Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସବରଣ, ମଞ୍ଚ ପୂଜା ସହିତ ଆରମ୍ଭ ହେଲା ବିଶ୍ବନାଥପୁର ଧନୁଯାତ୍ରା : ପ୍ରଥମ ଦିନରେ ବସିଲା ମହାରାଜ ଉଗ୍ରସେନଙ୍କ ରାଜ ଦରବାର

କଳାହାଣ୍ଡି,୨୪/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବକୁ ଚଳିତ ବର୍ଷ ଅଷ୍ଟମ ବର୍ଷ ପୂର୍ତ୍ତି ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଆଜି ଧନୁଯାତ୍ରାର ପ୍ରଥମ ତଥା ଉଦଘାଟନୀ ଦିବସରେ କଂସ ବରଣ, ମଞ୍ଚପୂଜା ସହିତ ଆନୁଷ୍ଠାନିକ ଭାବେ ଧନୁଯାତ୍ରା ଉଦଘାଟିତ ହୋଇଯାଇଛି। ଆଜି ଅପରାହ୍ନରେ ଧନୁଯାତ୍ରା ପରିଚାଳନା କମିଟି ତଥା ଗ୍ରାମବାସୀ ପୁରୁଷ-ମହିଳାଙ୍କ ଉପସ୍ଥିତିରେ ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀଙ୍କ ସହିତ ଅନ୍ୟ କଳାକାରମାନେ ବିଶ୍ବନାଥପୁରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହିତ କଂସବରଣ କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଧନୁଯାତ୍ରା ପରିଚାଳନା କମିଟିର ସଭାପତି ଅନନ୍ତ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ, ଉପଦେଷ୍ଟାମାନଙ୍କ ଉପସ୍ଥିତିରେ ମଞ୍ଚ ପୂଜା ପରେ ମଞ୍ଚ ଉଦଘାଟନ କାର୍ଯ୍ୟ ସମାହିତ ହୋଇଥିଲା। ଏହାପରେ ପରେ ମଞ୍ଚରେ ମହାରାଜ ଉଗ୍ରସେନଙ୍କ ରାଜ ଦରବାର, ପୁତ୍ରେଷ୍ଟି ଯଜ୍ଞ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା। ଭାଗବତ ଓ ହରିବଂଶ ପୁରାଣର ପ୍ରଥମ ଗାଥା ଆଜି ଅଭିନୀତ ହୋଇଥିବାବେଳେ କଳାକାରମାନଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ମହାରାଜ ଉଗ୍ରସେନ ଭୂମିକାରେ ନୀଳାମ୍ବର ରାଉତ, ସାତ୍ତ୍ବକୀ ଭୂମିକାରେ ଧନେଶ୍ବର ବାଗ, ଅକ୍ରୁର ଭୂମିକାରେ ତରଣୀସେନ ଭୋଇ, ଗାର୍ଗବ ଋଷି ଭୂମିକାରେ ଦୀପକ ପ୍ରଧାନ ପ୍ରମୁଖ ସାବଲୀଳ ଅଭିନୟ କରିଥିଲେ। ଧନୁଯାତ୍ରା ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ଼ ବ୍ଲକ ସମେତ କଳାହାଣ୍ଡି-ରାୟଗଡ଼ା ସୀମାନ୍ତରୁ ଅନେକ ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ