ଦିଲ୍ଲୀ: ଭାରତରେ ୭୫ତମ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଦିଲ୍ଲୀର କର୍ତବ୍ୟ ପଥରେ ଜାନୁଆରୀ ୨୬ରେ ଆକର୍ଷଣୀୟ ପରେଡ ଆୟୋଜିତ ହେବ । ଏହି ସମୟରେ ଅନେକ ବିଦେଶୀ ଅତିଥି ଭାରତର ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ୍ ହେବା ପାଇଁ ରାଜଧାନୀ ଦିଲ୍ଲୀ ପହଂଚିଛନ୍ତି । ଜାନୁଆରୀ ୨୬କୁ ଦୃଷ୍ଟିରେ ରଖି ସୁରକ୍ଷା କଡାକଡି କରାଯାଇଛି । ହଜାର ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଦିଲ୍ଲୀ ପୋଲିସ ଅନୁଯାୟୀ, ପରେଡ ଦିନ ତନ୍ନ ତନ୍ନ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରହିବ । ୧୪ ହଜାର ସୁରକ୍ଷାକର୍ମୀ କର୍ତବ୍ୟ ପଥ ଓ ଏହାର ଆଖାପାଖରେ ମୁତୟନ ରହିବେ ।
ସ୍ପେଶାଲ କମିଶନର(ସୁରକ୍ଷା) ଦୀପେନ୍ଦ୍ର ପାଠକ କହିଛନ୍ତି, ୭୭ ହଜାରରୁ ଅଧିକ ଅତିଥିଙ୍କ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଏହି ସମୟରେ ସୁରକ୍ଷାବଳର ଭିନ୍ନ ଭିନ୍ନ ୟୁନିଟ ନିଜ ମଧ୍ୟରେ ଉତମ ସମନ୍ୱୟ ରଖି କାମ କରିବେ । ସୁରକ୍ଷାକର୍ମୀଙ୍କ ବ୍ୟତୀତ କମାଣ୍ଡୋ, କ୍ୱିକ ରିଆକ୍ସନ ଟିମ୍, ପିସିଆର ଓ ସ୍ୱାଟ୍ ଟିମକୁ ଭିନ୍ନ ଭିନ୍ନ ଜାଗାରେ ମୁତୟନ କରାଯାଇଛି । ତାଙ୍କ କହିବାନୁସାରେ ଦିଲ୍ଲୀ ପୋଲିସ କୌଣସି ପ୍ରକାରର ସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ।
ସ୍ପେଶାଲ କମିଶନର ଲ ଆଣ୍ଡ ଅର୍ଡର ମଧୁପ ତିୱାରୀ କହିଛନ୍ତି, ଆଖପାଖ ଅଂଚଳକୁ ୨୮ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନରେ ଜଣେ ଡିପିପି କିମ୍ବା ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ନଜର ରଖାଯିବ । ଭିଜିଟର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଅନେକ ପ୍ରସ୍ତୁତି କରିଛି । ପୋଲିସ ଅନେକ ପ୍ରମୁଖ କେନ୍ଦ୍ରରେ ମିସିଂ ବୁଥ, ହେଲପ ଡେସ୍କ, ଫାଷ୍ଟ ଆଡ୍ ଓ ଗାଡି ଚାବି ଜମା କରିବା ପାଇଁ ମଧ୍ୟ କେନ୍ଦ୍ର ସ୍ଥାପନ କରିଛନ୍ତି । ଦିଲ୍ଲୀ ପୋଲିସ ଭିଜିଟର୍ସଙ୍କୁ ସକାଳ ୮ଟା ସୁଦ୍ଧା ସମାରୋହରେ ପହଂଚି ଯିବାକୁ ଅପିଲ୍ କରିଛି । ଯଦ୍ୱାରା ସେମାନଙ୍କୁ ଯାଂଚ କରିବାରେ ସମସ୍ୟା ନ ହୁଏ ।