ବିଜେଡି ସହ ମିଶି କଂଗ୍ରେସ ନ୍ୟାରେଟିଭ୍ ପ୍ରଚାର କରୁଛି, ସେଥିପାଇଁ ଉପରୁ ନିର୍ଦ୍ଦେଶ ଆସୁଛି: ବିଜେପି


ଭୁବନେଶ୍ୱର: ଆଜି ଓଡିଶା ରାଜନୀତିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେପି ଓ ବିଜେଡିର ବାହାଘର କରାଇଛି କଂଗ୍ରେସ । ସାହାନାଇ ବାଜିବା ସହ ହାତଗଣ୍ଠି ମଧ୍ୟ ପଡିଛି । ଉଭୟ ଦଳ ମଧ୍ୟରେ ଭିତିରିଆ ଓ ମଧୁର ସଂପର୍କ ଥିବା ଅଭିଯୋଗ କରି ଏମିତି ଅଭିନବ ବାହାଘର କରି ଉଭୟ ବିଜେଡି ଓ ବିଜେପିକୁ କଂଗ୍ରେସ ତାତ୍ସଲ୍ୟ କରିଛି । କଂଗ୍ରେସର ଏମିତି କଟାକ୍ଷ ବିଜେପି ଦେହରେ ବାଜିଛି । ଆଉ ଦଳ ପ୍ରତିକ୍ରିୟାଶୀଳ ହୋଇ ଉଠିଛି । ଓଲଟା ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ସଂପର୍କ ଥିବା କହିଛି ରାଜ୍ୟ ବିଜେପି ।

ରାଜ୍ୟ ବିଜେପି ମୁଖପାତ୍ର କଟାକ୍ଷ କରି କହିଛନ୍ତି, କଂଗ୍ରେସ କେନ୍ଦ୍ର ନେତୃତ୍ୱ ଜାଣିଲେଣି ଓଡିଶାରେ ବିଜେପି ସରକାର ହେବାକୁ ଯାଉଛି । ତେଣୁ ରାଜ୍ୟ କଂଗ୍ରେସକୁ ଉପରୁ ନିର୍ଦ୍ଦେଶ ହୋଇଛି ଯେ, ବିଜେଡି ପଛରେ ବିଜେପି ନ ରହୁ । ଯେଉଁ ନ୍ୟାରେଟିଭ୍ ବିଜେଡି ତିଆରି କରୁଛି ତାକୁ କଂଗ୍ରେସ ପ୍ରଚାର କରୁଛି । କିଛି କଂଗ୍ରେସ ନେତା କହିଥିଲେ ପିସିସି ସଭାପତି କିଏ ହେବ ତାହା ନବୀନ ବାଛନ୍ତି । ଏଥିରୁ ସ୍ପଷ୍ଟ କଂଗ୍ରେସ ବିଜେଡି ସହ ମିଶି ନ୍ୟାରେଟିଭ୍ ପ୍ରଚାର କରୁଛି।

ଉଲ୍ଲେଖନୀୟ ଆଜି ବାହାଘର ଆୟୋଜନ ମାଷ୍ଟର କ୍ୟାଂଟିନ ନିକଟସ୍ଥ କଂଗ୍ରେସ ଭବନରେ ଗୁରୁବାର ଆୟୋଜନ ହୋଇଥିଲା । ବିବାହ ପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ବଂଟା ଯାଇଥିଲାି । ମାଷ୍ଟର କ୍ୟାଂଟିନ ଛକରେ ବେଦୀ ତିଆରି ହୋଇଥିବା ବେଳେ ବରଯାତ୍ରୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି । ବର ଓ କନ୍ୟା ବେଶରେ କଂଗ୍ରେସର ନେତା ମାନେ ବସିଥିଲେ । ବିଜେଡି ବର ଓ ବିଜେପି କନିଆ ସାଜିଥିବା ବେଳେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଛି । ତେଲେଙ୍ଗାନା ଥିଓରୀ ଆପଣେଇ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ ।