Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୩୯ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଲା ଉଦଯାପିତ

ଝାରସୁଗୁଡା ୨୫/୧ (ଓଡ଼ିଶା.ନ୍ୟୁଜ) ପରମ ପୂଜ୍ୟପାଦ ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବା ମହୋଦୟଙ୍କ ଦ୍ଵାରା ସଂସ୍ଥାପିତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମହିମା ପୁରମ ବିଜାପାଲି ପଞ୍ଚଗାଁ ମହିମା ଆଶ୍ରମରେ ତିନିଦିନ ଧରି ଚାଲିଥିବା ୩୯ ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଲା ମହୋତ୍ସବ ଆଜି ମହା ସମାରୋହରେ ଉଦଯାପିତ ହୋଇ ଯାଇଛି ।
ଆଜିର ଉଦଯାପନୀ ଉତ୍ସବରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ଼,ପଡ଼ୋଶୀ ଛତିଶଗଡ଼ ରାୟଗଡ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଥିଲା ଏବଂ ସମସ୍ତ ଭକ୍ତ ବୃନ୍ଦଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରା ଯାଇଥିଲା ।
ସୂଚନା ଥାଉକି ମହିମା ପୁରମ ବିଜାପାଲି ମହିମା ଆଶ୍ରମ ର ପୁରୋଧା ବ୍ରହ୍ମାବଧୂତ ବିରେନ୍ଦ୍ର ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ କଳସ ଯାତ୍ରା, ସନ୍ଧ୍ୟା ବ୍ରହ୍ମ ମୁହୂର୍ତ୍ତରେ ବ୍ରହ୍ମଧୁନୀ ସ୍ଥାପନ,ଅଖଣ୍ଡ ବ୍ରହ୍ମବତୀ ପ୍ରଜ୍ବଳନ ପରେ ଆଠ ଭଜନ ଏବଂ ବିଶ୍ୱଶାନ୍ତି ନିମନ୍ତେ ବ୍ରହ୍ମଧୁନୀରେ ଘୃତଆହୁତି ଦିଆ ଯାଇଥିଲା । ସେହିଭଳି ବୁଧବାର ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରେ ଦର୍ଶନ ସ୍ତୁତି ପ୍ରାର୍ଥନା,ଅବକାଶ ଜଣାଣ,ମହିମା ମହା ପ୍ରସାଦ ଅର୍ପଣ, ବାଲ୍ୟଲୀଲା ଅନ୍ତେ ବିଶ୍ୱର କଲ୍ୟାଣ ଓ ସର୍ବାଙ୍ଗୀନ ବିକାଶ ନିମନ୍ତେ ଭଜନ,ଜଣାଣ,ପ୍ରାର୍ଥନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିବସ ଅର୍ଥାତ ଗୁରୁବାର ପୌଷ ପୂର୍ଣ୍ଣିମା ତିଥି ଶୁଭ ମୁହୂର୍ତ୍ତରେ ବ୍ରହ୍ମଧୁନୀରେ ଘୃତଆହୁତି ଓ ପୂର୍ଣ୍ଣାହୁତି ସହ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ସମାପନ ହୋଇଥିଲା । ଉକ୍ତ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞରେ ପୂଜ୍ୟପାଦ ବ୍ରହ୍ମାବଧୂତ ବିରେନ୍ଦ୍ର ବାବା, ବ୍ରହ୍ମାବଧୂତ ତୁଲାରାମ ବାବା, ବ୍ରହ୍ମାବଧୂତ ବରୁଣ ବାବା ଯୋଗଦାନ କରି ବ୍ରହ୍ମଧୁନିରେ ଘୃତାହୁତି ଦେଇ ଜଗତ ଭକତଙ୍କ କଲ୍ୟାଣ ନିମନ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ । ସାଧୁସନ୍ଥ ମାନଙ୍କ ମଧ୍ୟରେ ସାଧୁ କଶ୍ୟପ ଦାସ, ସାଧୁ ଚିତ୍ରସେନ ଦାସ, ସାଧୁ ନେପାଳ ଦାସ, ସାଧୁ କାହ୍ନା ଦାସ,ସାଧୁ ଦୟାନିଧି ଦାସ, ସାଧୁ ଅଭୟ ଦାସ, ସାଧୁ ବାଦଳ ଦାସ, ସାଧୁ ଦାରୁକ ଦାସ, ସାଧୁ ସ୍ୱରୂପା ଦାସ, ସାଧୁ ହରି ଦାସ, ସାଧୁ ନିରଞ୍ଜନ ଦାସ, ସାଧୁ ମହେନ୍ଦ୍ର ତ୍ୟାଗୀ, ସାଧୁ ନରହରି ତ୍ୟାଗୀ,ଭକ୍ତ ବିରଞ୍ଚି ସାହୁ, ଭକ୍ତ ତ୍ରିଲୋଚନ ପଟେଲଙ୍କ ସମେତ ଝାରସୁଗୁଡା, ବରଗଡ଼,ସୁନ୍ଦରଗଡ ଏବଂ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିମା ଧର୍ମାବଲମ୍ବୀ ସାଧୁ ସନ୍ୟାସୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି, ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ବେଳପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡା, ସମସ୍ତ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ । ଅତାବିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମେରଢ଼ିପା ଗୋପବନ୍ଧୁ କ୍ଲବର ସଦସ୍ୟ ମାନେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କୁ ପିଇବା ପାଣି,ଚା,ବିସ୍କୁଟ ଆଦି ବଣ୍ଟନ କରିଥିଲେ । ଏଥିରେ ମହିମା ପୁରମ ବିଜାପାଲି ମହିମା ଆଶ୍ରମ ଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଅଞ୍ଚଳବାସୀ ସାହାଯ୍ୟ ସହଯୋଗ କରିଥିଲେ । ବ୍ରଜରାଜନଗର ଏସଡିପିଇଓ ଚିନ୍ତାମଣି ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ରେଙ୍ଗାଲି ଥାନାଧିକାରୀ କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି ।

More Stories