ବିିହାରରେ ରାଜନୀତି ହଲଚଲ, ନୀତିଶଙ୍କ ଏନଡିଏରେ ସାମିଲ ହେବା ପକ୍କା ! ନୀତିଶ ହେବେ ମୁଖ୍ୟମନ୍ତ୍ରୀ


ନୂଆଦିଲ୍ଲୀ: ସମଗ୍ର ଦେଶରେ ୭୫ତମ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାର ରାଜନୀତି ହଲଚଲ ହୋଇ ଉଠିଛି । ଆରଜେଡି ସହ ତିକ୍ତତା ମଧ୍ୟରେ ନୀତିଶ କୁମାର ପୁଣି ଥରେ ରାଜ୍ୟରେ ନୂତନ ସରକାର ଗଢିବାକୁ ଉଦ୍ୟମ ଚଳାଇଛନ୍ତି । ସୂତ୍ର ଅନୁଯାୟୀ, ନୀତିଶ କୁମାର ଏନଡିଏ ସହ ମେଂଟ କରି ସରକାର ଗଢିବାକୁ ଯାଉଛନ୍ତି । ସେ ଜାନୁଆରୀ ୨୮ରେ ୯ମ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି । ଏହା ସହିତ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ।

ଜେଡିୟୁ ନିଜର ସମସ୍ତ ବିଧାୟକଙ୍କୁ ପାଟନା ଆସିବାକୁ କହିଛି । ଦଳ ନିଜର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛି । ଜାନୁଆରୀ ୨୮ରେ ପାଟନାରେ ହେବାକୁ ଥିବା ମହାରାଣା ପ୍ରତାପ ରାଲିକୁ ମଧ୍ୟ ବାତିଲ୍ କରାଯାଇଛି । ବିଜେପି ସମସ୍ତ ନେତା ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଘନ ଘନ ବୈଠକ ଚଳାଇଛନ୍ତି । ଏନଡିଏର ସହଯୋଗୀ ଦଳମାନଙ୍କ ସହ ମଧ୍ୟ ବିଜେପି ଆଲୋଚନା କରୁଛି ।

ଉଲ୍ଲେଖନୀୟ ସୁଶୀଲ ମୋଦୀ ରାଜ୍ୟସଭା ସାଂସଦ । ସେ ୨୦୧୭ ଜୁଲାଇ ୧୫ରୁ ୨୦୨୦ ନଭେମ୍ବର ୧୫ ଯାଏ ବିହାରର ଉପମୁଖ୍ୟମନ୍ତ୍ରୀ ଥୀଲେ । ସେହି ସମୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିଲେ । ସମସ୍ତ ବାଧାବିଘ୍ନ ପରେ ବି ଦୁଇ ନେତାଙ୍କ ମଧ୍ୟରେ ଉତମ ସମନ୍ୱୟ ଦେଖିବାକୁ ମିଳି ଆସିଛି । ଏହା ମଧ୍ୟରେ ସୁଶୀଲ ମୋଦୀଙ୍କ ଏକ ବଡ ଟିପ୍ପଣୀ ସାମ୍ନାକୁ ଆସିଛି । ସେ କହିଛନ୍ତି, ଦ୍ୱାର ସମୟ ଅନୁସାରେ ଖୋଲିଥାଏ । ଦ୍ୱାର ବନ୍ଦ ହୁଏ ଏବଂ ଖୋଲିଥାଏ ।

ନୀତିଶଙ୍କୁ ଦୁଇ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ରାଜି

କୁହାଯାଉଛି ବିଜେପି ନୀତିଶ କୁମାରଙ୍କ ସହ ଡିଲ୍ ଚୂଡାନ୍ତ ହୋଇ ସାରିଛି । ବିଜେପି ପୁନର୍ବାର ନୀତିଶଙ୍କ ସହ ହାତ ମିଳାଇବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି । ରାଜନୈତିକ ମହଲରେ ଅନେକ ପ୍ରକାରର ଫର୍ମୁଲା ଖବର ଶୁଣିବାକୁ ମିଳୁଛି । ଗୋଟିଏ ହେଲା ବିଧାନସଭା ଭଙ୍ଗ କରି ଦିଆଯାଉ । ମାତ୍ର ଏହାର ସମ୍ଭାବନା ଅଧିକ ଯେ, ନୀତିଶଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ପାଇଁ ବିଜେପି ରାଜି । ଆଉ ଏହି ଫର୍ମୁଲା ଲାଗୁ ହେବାର ସମ୍ଭାବନା ଅଧିକ ରହିଛି ।

ବିଜେପି ସୂତ୍ର ଅନୁଯାୟୀ, ନୀତିଶ କୁମାରଙ୍କୁ ରାଜ୍ୟର ଶାସନଭାର ପୁଣି ଦିଆଯାଇପାରେ । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତିଶ ମୁଖ୍ୟମନ୍ତ୍ରୀ ରହି ପାରନ୍ତି । ଲୋକସଭା ନିର୍ବାଚନ ସହ ବିହାରରେ ବିଧାନସଭା ନିର୍ବାଚନ କରାଯାଇପାରେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ବିଜେପି ପକ୍ଷରୁ ପୁରା ମୋର୍ଚ୍ଚା ସମ୍ଭାଳୁଛନ୍ତି । ଗୁରୁବାର ରାତିରେ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା ହୋଇଛି । ନଡ୍ଡା ନିଜର କେରଳ ଗସ୍ତ ମଧ୍ୟ ରଦ୍ଦ କରିଛନ୍ତି । ଜୀତନରାମ ମାଂଝୀ ଓ ଚିରାଗ ପାସୱାନଙ୍କ ପରି ଏନଡିଏ ନିଜର ସହଯୋଗୀଙ୍କ ସହ ବିଜେପି ଲଗାତାର ଆଲୋଚନା କରୁଛନ୍ତି ।