ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତ କରିବେ । ତାଙ୍କ ଗସ୍ତକୁ ନେଇ ବିଜେପି ଉତ୍ସାହିତ ହୋଇ ପଡିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେପି ଫୋକସରେ ସବୁ ବେଳେ ପଶ୍ଚିମ ଓଡିଶା ରହିଛି ଓ ରହିବ । ଏହି ଗସ୍ତରେ ପିଏମ ମୋଦୀ ଆଇଆଇଏମ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ମନମୋହନ କହିଛନ୍ତି, ଓଡିଶାରେ ରାମରାଜ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଗରିବଙ୍କୁ ଚାଉଳ ଦିଆଯାଉଛି । ଗରିବଙ୍କ କଷ୍ଟ କେବଳ ମୋଦୀ ହିଁ ବୁଝୁଛନ୍ତି। ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି । ଓଡିଶାର ୯୩ ପ୍ରତିଶତ ଲୋକ ମୋଦୀଙ୍କୁ ସମର୍ଥନ କରୁଛନ୍ତି । ଓଡିଶାରେ ଏଥର ବିଜେପି ସରକାର ଗଢିବ ସେ କହିଛନ୍ତି ।
ଏହି ଗସ୍ତରେ ପିଏମ ମୋଦୀ ସମ୍ବଲପୁର ଆଇଆଇଏମ ନୂତନ କୋଠାର ଉଦଘାଟନ କରିବେ । ସମ୍ବଲପୁର ନେକଲସ ରୋଡ, ଝାରସୁଗୁଡା ଏଲଏଲସି ଥର୍ମାଲ ପ୍ରାୱାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଦଳୀୟସ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପିଏମ ମୋଦୀଙ୍କ ଏହି ଗସ୍ତ ଓଡିଶା ରାଜନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତାଙ୍କର ଭାଷଣ ହିଁ ରାଜ୍ୟ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢିବ ତାର ଦିଗ ପ୍ରସ୍ତୁତ ହେବ । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି ।