ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା, ବିଜେପି ସହ ଗଢିବେ ସରକାର; ଇଣ୍ଡିଆ ମେଂଟକୁ ଶକ୍ତ ଧକ୍କା


ପାଟନା: ବିହାରରେ ମହାମେଂଟ ସରକାର ଭାଙ୍ଗି ସାରିଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ସକାଳେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ସହ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଏହା ପୂର୍ବରୁ ସେ ଜେଡିୟୁ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରିଥିଲେ । ଆଜି ନୀତିଶ କୁମାର ଏନଡିଏରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ । ଶପଥ ଗ୍ରହଣ ସମାରୋହରେ ସାମିଲ୍ ହେବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପାଟନା ପହଂଚିଛନ୍ତି ।

ନୂତନ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ । ତାଙ୍କ ସହିତ ବିଜେପିର ଦୁଇ ଜଣ ନେତା ଉପମୁଖ୍ୟମନ୍ତ୍ରୀ ହେବେ । ତେବେ ଉପମୁଖ୍ୟମନ୍ତ୍ରୀ କିଏ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ସୂତ୍ର ଅନୁଯାୟୀ, ଆଜି ୬ରୁ ୮ ନେତା ମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି । ନୁତନ ସରକାରରେ ଜୀତନ ରାମ ମାଂଝୀଙ୍କ ପାର୍ଟି ହମ ମଧ୍ୟ ସାମିଲ୍ ହେବ । ମାଂଝୀ ନିଜର ସମର୍ଥନ ପତ୍ର ନୀତିଶ କୁମାରଙ୍କୁ ପ୍ରଦାନ କରିବେ ।

ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାର ଏହି ପଦକ୍ଷେପ ବିରୋଧୀ ଦଳଗୁଡିକର ମେଂଟ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । କାରଣ ନୀତିଶ କୁମାର ଇଣ୍ଡିଆ ମେଂଟର ସୂତ୍ରଧର ଥିଲେ । ଶୁକ୍ରବାର ଜେଡିୟୁ ସଂପର୍କିତ ସୂତ୍ରରୁ ଜଣାଇ ଦିଆଯାଇଥିଲା ଯେ, ନୀତିଶ କୁମାରଙ୍କୁ ଇଣ୍ଡିଆ ମେଂଟର ସଂଯୋଜକ ନ କରିବା ଯୋଗୁଁ ସେ ଅସନ୍ତୁଷ୍ଟ ଥିଲେ ।